ନୂଆଦିଲ୍ଲୀ, ୮ା୭ :ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏଏପି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ, ତାଙ୍କ ସ୍ତ୍ରୀ ଓ ଅନ୍ୟ କେତେଜଣ ଅଭିଯୁକ୍ତଙ୍କ ୫୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ବାଜ୍ୟାପ୍ତ କରିଛି। ମନିଲଣ୍ଡରିଂ ପ୍ରତିକାର ଆଇନର ଅସ୍ଥାୟୀ ନିର୍ଦ୍ଦେଶନାମା ଅନୁଯାୟୀ ସିସୋଡିଆ ଓ ତାଙ୍କ ସ୍ତ୍ରୀ ସୀମା ସିସୋଡିଆଙ୍କର ଦୁଇଟି ସ୍ଥାବର ସମ୍ପତ୍ତି, ଅନ୍ୟତମ ଅଭିଯୁକ୍ତ ତଥା ଚାରିଅଟ ପ୍ରଡକ୍ସନ୍ସ ମିଡିଆ ପ୍ରା.ଲିଃର ନିର୍ଦ୍ଦେଶକ ରାଜେଶ ଜୋଷୀ ଏବଂ ଗୌତମ ମାଲହୋତ୍ରାଙ୍କ ଜମି ଓ ଫ୍ଲାଟ୍କୁ ଆଟାଚ କରାଯାଇଛି, ଯାହାର ମୂଲ୍ୟ ୭.୨୯ କୋଟି ଟଙ୍କା। ଏହା ବ୍ୟତୀତ ସିସୋଡିଆଙ୍କ ୧୧.୪୯ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ, ବ୍ରିଣ୍ଡକୋ ସେଲ୍ସ ପ୍ରା.ଲିଃର ୧୬.୪୫ କୋଟି ଓ ଅନ୍ୟାନ୍ୟ ସମ୍ପତ୍ତି ସମେତ ମୋଟ ୪୪.୨୯ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଆଟାଚ୍ ହୋଇଛି। ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଶି ମୋଟ ୫୨.୨୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ ହୋଇଛି। ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚରେ ସିସୋଡିଆଙ୍କୁ ଗିରଫ କରାଯାଇଥିଲା। ଏବେ ସେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି।