ଭୁବନେଶ୍ୱର, ୩।୧(ବ୍ୟୁରୋ): ଲେଡି ବ୍ଲାକ୍ମେଲର୍ ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ। ଏଥିସହ ସ୍ବାମୀ ଜଗବନ୍ଧୁ ଚାନ୍ଦ ଏବଂ ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତି ହେବ। ତେବେ ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରକ୍ରିୟା ଆରମ୍ଭ କରିଛି। ମଙ୍ଗଳବାର ଇଡି ପକ୍ଷରୁ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ସୂଚନା ମିଳିଛି। ସମ୍ପତ୍ତି କାହିଁକି ବାଜ୍ୟାପ୍ତି ନ ହେବ ଜଣାଇବାକୁ ନୋଟିସ୍ରେ ଉଲ୍ଲେଖ ରହିଛି। ଆସନ୍ତା ୧୩ ତାରିଖରେ ଏନେଇ କୋର୍ଟରେ ଶୁଣାଣି ହେବ। ଉକ୍ତଦିନ ଝାରପଡ଼ା ଜେଲରେ ସଜା କାଟୁଥିବା ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ସେମାନଙ୍କ ପକ୍ଷ ରଖିବେ ବୋଲି ଜଣାପଡ଼ିଛି।