Categories: ଜାତୀୟ

୨୦ ଲକ୍ଷ ଲାଞ୍ଚ ନେଇଥିଲେ ଇଡି ଅଫିସର: ଧରିଲା ସିବିଆଇ

ନୂଆଦିଲ୍ଲୀ,୯ା୮(ପି.ଟି.):ମୁମ୍ବାଇର ଜଣେ ଜୁଏଲେରଙ୍କଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସହକାରୀ ନିର୍ଦ୍ଦେଶକଙ୍କୁ ସିବିଆଇ ଗିରଫ କରିଛି। ଇଡି ପକ୍ଷରୁ ଗତ ୩ ଓ ୪ ତାରିଖରେ ଉକ୍ତ ଜୁଏଲେରୀ ପରିସରରେ ଚଢ଼ାଉ କରାଯାଇଥିଲା। ଜୁଏଲରଙ୍କ ପୁଅ ଯଦି ୨୫ ଲକ୍ଷ ଟଙ୍କା ନ ଦିଅନ୍ତି, ତେବେ ତାଙ୍କୁ ମିଛ ମାମଲାରେ ଫସାଇ ଗିରଫ କରାଯିବ ବୋଲି ଆସିଷ୍ଟାଣ୍ଟ ଡାଇରେକ୍ଟର ସନ୍ଦୀପ ସିଂ ଯାଦବ ଧମକ ଦେଇଥିଲେ। ବୁଝାମଣା ପରେ ଉତ୍କୋଚ ପରିମାଣ ୨୦ ଲକ୍ଷ ଟଙ୍କାକୁ କମାଇଦିଆଯାଇଥିଲା। ଲାଞ୍ଚ ନେଉଥିବାବେଳେ ଯାଦବଙ୍କୁ ସିବିଆଇ ଟିମ୍‌ ଧରିଥିଲା। ଯାଦବ ଗିରଫ ହେବା ପରେ ଇଡି ତାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରିଛି। ଏଥିସହ ତାଙ୍କର ନୂଆଦିଲ୍ଲୀ ବାସଭବନରେ ଉଭୟ ଇଡି ଏବଂ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ଯାଦବଙ୍କୁ ଧରିବା ପାଇଁ ସିବିଆଇର ଦୁର୍ନୀତି ନିବାରଣ ବିଭାଗ ଲଜପତ ନଗର ବଜାରରେ ଜାଲ ବିଛାଇଥିଲା। ଯାଦବ ପୂର୍ବରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ରେ କାର୍ଯ୍ୟ କରୁଥିବାବେଳେ ଗତବର୍ଷ ମେ’ରେ ଇଡିର ସହକାରୀ ନିର୍ଦ୍ଦେଶକ ନିଯୁକ୍ତ ହୋଇଥିଲେ।

Share