ଜୟପୁର,୨୬ା୧୦: ରାଜସ୍ଥାନ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଗୋବିନ୍ଦ ସିଂ ଡୋଟାସରାଙ୍କ ଘର ଉପରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଥିଲା। ଏଥିସହିତ ବିଦେଶ ବିନିମୟ ପରିଚାଳନା ଆଇନ (ଏଫ୍ଇଏମ୍ଏ) ମାମଲାରେ ଜେରାର ସମ୍ମୁଖୀନ ହେବା ଲାଗି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ପୁଅ ବୈଭବ ଗେହଲଟ୍ଙ୍କୁ ଇଡି ସମନ ଜାରି କରିଛି। ଇଡି ଅଧିକାରୀମାନେ ରାଜସ୍ଥାନର ୧୨ଟି ସ୍ଥାନରେ ଚଢ଼ାଉ କରିଥିଲେ। ଜୟପୁରର ୩ଟି ଏବଂ ସିକରର ୨ଟି ସ୍ଥାନ ସହ ପିସିସି ସଭାପତିଙ୍କ ସମ୍ପର୍କୟଙ୍କ ଘର ଉପରେ ଏହି ଚଢାଉ ହୋଇଥିଲା।
ଏହା ବ୍ୟତୀତ ସ୍ବାଧୀନ ବିଧାୟକ ଓମ୍ପ୍ରକାଶ ହୁଡ୍ଲାଙ୍କ ଘର ରହିଛି। ଚଢ଼ାଉ ସମୟରେ ସଭାପତି ଡୋଟାସରା ତାଙ୍କ ସିକର ବାସଭବନରେ ଉପସ୍ଥିତ ଥିଲେ। ଇଡି ଅଧିକାରୀମାନେ ପ୍ରଥମେ ତାଙ୍କୁ ଜେରା କରିବା ସହ ଅଧିକ ତଦନ୍ତ ଲାଗି ଘରେ ଥିବା କାର୍ଯ୍ୟାଳୟରେ ପଚରାଉଚରା କରିଥିବା ଜଣାପଡିଛି। ପିସିସି ସଭାପତିଙ୍କ ଘରେ ଇଡି ଚଢ଼ାଉ ଓ ବୈଭବ ଗେହଲଟ୍କୁ ସମନ ଘଟଣାରେ ମୁଖ୍ୟମନ୍ତ୍ରୀ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ଏହାକୁ ସେ ଗୁଣ୍ଡାଗର୍ଦ୍ଦି ବୋଲି କହିଛନ୍ତି।