ନୂଆଦିଲ୍ଲୀ,୨୧ ।୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ ଓ ବିଆରଏସ ନେତା କବିତାଙ୍କୁ ପୁଣିଥରେ ପଚରା ଉଚରା ପାଇଁ ନୋଟିସ ଦେଇଛି । କେ କବିତାଙ୍କୁ ମଙ୍ଗଳବାର ସକାଳ ୧୧ଟାରେ ପଚରା ଉଚରା ପାଇଁ ଡକାଯାଇଛି । ଭାରତ ରାଷ୍ଟ୍ର ସମିତିର ନେତା କେ କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଘୋଟାଲା ମାମଲାରେ ପଚରା ଉଚରା କରାଯିବ ।
ସୂଚନାଯୋଗ୍ୟ, କେ କବିତା ସୋମବାର ସକାଳ ପ୍ରାୟ ସାଢେ ୧୦ଟାରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପ୍ରାୟ ୧୦ ଘଣ୍ଟା କାଳ ପଚରା ଉଚରା କରାଯାଇଥିଲା । ଏହାପରେ କବିତାଙ୍କୁ ଛୁଟି ମିଳିଥିଲା । ଦିଲ୍ଲୀ ସରକାରଙ୍କ କଥିତ ମଦ ଘୋଟାଲାରେ ଇଡି ସୋମବାର କେ କବିତା ଓ ଅରୁଣ ପିଲ୍ଲଇଙ୍କୁ ସାମ୍ନା ସାମ୍ନି କରିଥିଲା । କେ କବିତାଙ୍କ ଉପରେ ଇଡିର କାର୍ଯ୍ୟାନୁଷ୍ଠାନ ବେଳକୁ ବେଳ କଡା ହେବାରେ ଲାଗିଛି ।
ଇଡି ଦାବି କରିଛିି ଯେ ମଦ ଘୋଟାଲାରେ ସାଉଥ ଗ୍ରୁପର ଫ୍ରଣ୍ଟମ୍ୟାନ ଅରୁଣ ପିଲ୍ଲଇ କବିତାଙ୍କ ନିକଟତମ, କାରଣ କବିତା ଓ ଅରୁଣଙ୍କ ବୟାନରେ ବିରୋଧାଭାସ ରହିଥିଲା । ସେଥିପାଇଁ ଆଜି କବିତା ଓ ଅରୁଣ ପିଲ୍ଲଇଙ୍କୁ ସାମ୍ନା ସାମ୍ନି କରାଗଲା । ଏହା ପୂର୍ବରୁ ୧୧ ମାର୍ଚ୍ଚରେ କବିତାଙ୍କୁ ପଚରା ଉଚରା କରାଯାଇଥିଲା ।