Categories: ଜାତୀୟ

କଂଗ୍ରେସ ନେତା ମଲ୍ଲିକାର୍ଜୁନଙ୍କୁ ଇଡିର ପଚରାଉଚରା

ନୂଆଦିଲ୍ଲୀ,୧୧।୪: ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସୋମବାର ପଚରାଉଚରା କରୁଛି। ପୂର୍ବରୁ ଇଡି ତାଙ୍କୁ ପଚରାଉଚରା କରିବା ପାଇଁ ସମନ ଜାରି କରିଥିଲା। ଏନେଇ ଇଡି ତାଙ୍କୁ ସକାଳୁ ପଚରାଉଚରା ଜାରି ରଖିଛି।

ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ଅଭିଯୋଗ ପରେ ଇଡି ମାମଲାରେ ଲଗାତର ତଦନ୍ତ ଜାରି ରଖିଛି। କଂଗ୍ରେସ ପାର୍ଟି ସହିତ ନ୍ୟାସନାଲ ହେରାଲ୍ଡ ସଂଯୁକ୍ତ। ନ୍ୟାଶନାଲ ହେରାଲ୍ଡ, ୟଙ୍ଗ ଇଣ୍ଡିଆ ଏବଂ ଆସୋସିଏଟେଡ ଜର୍ନାଲ ଲିମିଟେଡ ସହ ଜଡିତ ଦୁର୍ନୀତି ମାମଲାରେ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରି ୨୦୧୨ରେ କୋର୍ଟରେ ସୁବ୍ରମଣ୍ୟମ ଏକ ଆବେଦନ କରିଥିଲେ।

ସୂଚନା ଯୋଗ୍ୟ, ଆସୋସିଏଟେଡ ଜର୍ନାଲ ଲିମିଟେଡ କମ୍ପାନୀ ନ୍ୟାଶନାଲ ହେରାଲ୍ଡ ଖବରକାଗଜ ପ୍ରକାଶ କରୁଥିଲା। ଏହି କମ୍ପାନୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ୧୯୩୭ରେ ପ୍ରତିଷ୍ଠିତ ହୋଇଥିଲା। ୯୦ କୋଟି ଟଙ୍କାର ଋଣ ବୋଝ ହେତୁ ଏହି ଖବରକାଗଜକୁ ୨୦୦୮ରେ ବନ୍ଦ କରିବାକୁ ପଡିଥିଲା।

Share