Categories: ଜାତୀୟ

ଓମାର ଅବଦୁଲ୍ଲାଙ୍କୁ ଇଡିର ଜେରା

ନୂଆଦିଲ୍ଲୀ,୭।୪: ଜମ୍ମୁ-କଶ୍ମୀର ବ୍ୟାଙ୍କ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି) ନେତା ଓମାର ଅବଦୁଲ୍ଲାଙ୍କୁ ଜେରା କରିଛି। ଋଣ ମଞ୍ଜୁରୀ ଓ ନିବେଶରେ ଅନିୟମିତତା ଅଭିଯୋଗ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପୂର୍ବରୁ ଜମ୍ମୁ-କଶ୍ମୀର ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ମୁସ୍ତାକ୍‌ ଅହମଦ ଶେଖ୍‌ଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସିବିଆଇର ଏତଲାକ୍ରମେ ଇଡି ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏହି ଜେରାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଏନ୍‌ସି କହିଛି। ଦିଲ୍ଲୀ ଓମାରଙ୍କ ଘର ହୋଇ ନ ଥିବା ବେଳେ ରମଜାନ ମାସରେ ତାଙ୍କୁ ଜେରା ପାଇଁ ଦିଲ୍ଲୀ ଡକାଗଲା କାହିଁକି ବୋଲି ଦଳ ପ୍ରଶ୍ନ କରିଛି। ବ୍ୟାଙ୍କର କେତେଜଣ ନିର୍ଦ୍ଦେଶକଙ୍କୁ ଓମାର ନିଯୁକ୍ତ କରାଇଥିବାରୁ ତାଙ୍କ ସହ ସମ୍ପର୍କକୁ ନେଇ ଇଡି ଜେରା କରିଥିବା କୁହାଯାଉଛି। ଜମ୍ମୁ-କଶ୍ମୀର ବ୍ୟାଙ୍କ ଋଣ ମଞ୍ଜୁରୀରେ ଅନିୟମିତତା, ନିଯୁକ୍ତିରେ ପ୍ରୀୟାପ୍ରୀତି ତୋଷଣ ଓ ବ୍ୟାଙ୍କ କାର୍ଯ୍ୟକୁ ନେଇ ୨୦୧୯ରୁ ତଦନ୍ତ ଚାଲିଛି। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଉକ୍ତ ବ୍ୟାଙ୍କ ଓ ଏହାର ଅଧିକାରୀମାନଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଛି।

Share