ରାଞ୍ଚି/କୋଲକାତା,୫ା୧୧(ପି.ଟି.): ମନିଲଣ୍ଡରିଂ ମାମଲାର ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଅନେକ ସ୍ଥାନରେ ଏକସଙ୍ଗେ ଚଢ଼ାଉ କରିଛି। ଏହି ଦୁଇ ରାଜ୍ୟରେ ଜାଲ୍ କାଗଜପତ୍ରରେ ପ୍ରତିରକ୍ଷା ଜମି ବିକ୍ରି ଅଭିଯୋଗ ହୋଇଥିଲା। ଇଡି ଅଧିକାରୀମାନେ ରାଞ୍ଚତ୍ ସମେତ ଝାଡ଼ଖଣ୍ଡର ୮ଟି ସ୍ଥାନରେ ଚଢ଼ାଉ କରିଥିଲେ। ସେହିପରି କୋଲକାତାରେ ଗିରଫ ବ୍ୟବସାୟୀ ଅମିତ ଅଗ୍ରଓ୍ବାଲଙ୍କ ଘର ସମେତ ଏକାଧିକ ସ୍ଥାନରେ ଚଢ଼ାଉ ହୋଇଛି। ଝାଡ଼ଖଣ୍ଡରେ ହେମନ୍ତ ସୋରେନ ସରକାରକୁ ଭାଙ୍ଗିଦେବା ଲାଗି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଉଥିବା ଶାସକ ଉପା ମେଣ୍ଟ ପକ୍ଷରୁ କୁହାଯାଇଛି। ସେଠାର କେତେଜଣ ରିଅଲ ଇଷ୍ଟେଟ୍ ଡିଲର ଏବଂ ଜମି କାରବାର ସହ ଜଡ଼ିତ ଅନ୍ୟ ବ୍ୟକ୍ତିବିଶେଷଙ୍କ ଘରେ ଚଢ଼ାଉ କରାଯାଇଥିଲା।