Categories: ଜାତୀୟ

ମମତା ସରକାରର ମନ୍ତ୍ରୀ ରଥିନ ଘୋଷଙ୍କ ଘରେ ଇଡି ଚଢାଉ

କୋଲକାତା,୫।୧୦: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରର ମନ୍ତ୍ରୀ ରଥିନ ଘୋଷଙ୍କ ଘରେ ଚଢାଉ କରିଛି। ମଧ୍ୟମଗ୍ରାମ ପୌରପାଳିକାରେ ନିଯୁକ୍ତି ସ୍କାମ ସମ୍ପର୍କରେ ଏହି ଚଢାଉ କରାଯାଉଛି। ରଥିନଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଇଡି ଚଢାଉ କରୁଛି। ରାଜଧାନୀ କୋଲକାତା ଏବଂ ଉତ୍ତର ୨୪ ପରଗଣା ଜିଲା ସମେତ ୧୨ଟି ସ୍ଥାନରେ ଇଡି ଚଢାଉ ଜାରି ରହିଛି। ଅର୍ଥ ହେରଫେର ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କ ଘରେ ଚଢାଉ କରାଯାଉଥିବା କୁହାଯାଇଛି।
ରଥିନ ଘୋଷଙ୍କ ସହ ଜଡିତ ସ୍ଥାନଗୁଡିକ ବ୍ୟତୀତ ଇଡି ଉତ୍ତର ୨୪ ପରଗଣାା ଜିଲାର ବେଲଗୋରିଆର କାମରହାଟି ପୌରପାଳିକା ଅଧ୍ୟକ୍ଷ ଗୋପାଳ ସାହାଙ୍କ ଘରେ ଚଢାଉ କରିବା ଆରମ୍ଭ କରିଛି। ବାରନଗର ପୌରପାଳିକା ଅଧ୍ୟକ୍ଷ ଅପର୍ନା ମୌଲିକ ଏବଂ ସାଉଥ ଡମ ଡମ ପୌରପାଳିକାର ଉପାଧ୍ୟକ୍ଷ ନେତାଇ ଦତ୍ତଙ୍କ ଘରେ ଇଡି ଚଢାଉ କରିଛି।
ମମତା ସରକାରରେ ଖାଦ୍ୟ ମନ୍ତ୍ରୀ ରଥିନ ଘୋଷ ମଧ୍ୟମଗ୍ରାମ ପପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ରହିଛନ୍ତି। ସରକାରୀ ଚାକିରି ପାଇଁ ଅଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କୁ ଲାଞ୍ଚ ଦିଆଯାଇଥିଲା। ଏହି କାରଣରୁ ଘୋଷ ଏବଂ ତାଙ୍କ ସହଯୋଗୀମାନେ ଚାକିରି ବଦଳରେ ପ୍ରାର୍ଥୀଙ୍କଠାରୁ ଲାଞ୍ଚ ନେଇଛନ୍ତି କି ନାହିଁ ଅଭିଯୋଗର ଅନୁସନ୍ଧାନ କରୁଛନ୍ତି। ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।

Share