Categories: ଜାତୀୟ

ଶରଦ ପାଓ୍ବାରଙ୍କ ସମ୍ପର୍କୀୟଙ୍କ କମ୍ପାନୀରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୫।୧: ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କର ୨୫ ହଜାର କୋଟି ଟଙ୍କା ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଏନ୍‌ସିପି ନେତା ଶରଦ ପାଓ୍ବାରଙ୍କ ଭାଇଙ୍କ ନାତି ତଥା ବିଧାୟକ ରୋହିତ ପାଓ୍ବାରଙ୍କ ମାଲିକାନାରେ ଥିବା କମ୍ପାନୀରେ ଚଢ଼ାଉ କରିଛି। ଉକ୍ତ ଦୁର୍ନୀତିରେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଓ ତାଙ୍କ ପୁତୁରା ଅଜିତ ପାଓ୍ବାର ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ରୋହିତଙ୍କ ବାରାମତି ଆଗ୍ରୋ କମ୍ପାନୀ ସମେତ ଏହା ସହ ସମ୍ପୃକ୍ତ ଥିବା ବାରାମତି, ପୁଣେ, ପିମ୍ପ୍ରି ଏବଂ ଔରଙ୍ଗାବାଦ ସଂସ୍ଥା ଉପରେ ଚଢ଼ାଉ ହୋଇଛି। ଇଡିର ଅଭିଯୋଗ ଅନୁଯାୟୀ ବାରାମତି ଆଗ୍ରୋ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କରୁ ମୋଟା ଅଙ୍କର ଋଣ ନେଇ ପରିଶୋଧ କରିନାହିଁ, କିମ୍ବା ଏହାକୁ ଅନ୍ୟତ୍ର ବିନିଯୋଗ କରାଯାଇଛି। ବ୍ୟାଙ୍କର ବୋର୍ଡ ଅଫ୍‌ ଡାଇରେକ୍ଟର୍ସରେ ଶରଦ ପାଓ୍ବାରଙ୍କ ଲୋକମାନେ ରହିଛନ୍ତି, ଯେଉଁମାନେ ବିନା ନୀତି ନିୟମରେ ବାରାମତି ଆଗ୍ରୋ ଓ ଅନ୍ୟ କେତେକ କମ୍ପାନୀକୁ ଋଣ ମଞ୍ଜୁର କରିଥିଲେ, ଯାହା ପରିଶୋଧ ହୋଇ ନ ଥିଲା।

Share