ଭୁବନେଶ୍ୱର,୧୬।୩(ବ୍ୟୁରୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ମନି ଲଣ୍ଡରିଂ ମାମଲାରେ ଓଡ଼ିଶା ଅର୍ଥନୈତିକ ସେବା (ଓଏଫ୍ଏସ୍) ଅଧିକାରୀ ନଳିନୀ ପୃଷ୍ଟି ଓ ତାଙ୍କ ସ୍ବାମୀ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ବିଜୟ କେତନ ସାହୁଙ୍କର ୩.୯୪ କୋଟି ଟଙ୍କାର ସମ୍ପତ୍ତିକୁ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି। ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଓ ୧୩(୧) ( ବି) ଅନୁଯାୟୀ ଇଡି ପକ୍ଷରୁ କଟକସ୍ଥିତ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଥିଲା। ଉଭୟେ ୫.୦୫ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠୁଳ କରିଥିବା ଇଡି ପକ୍ଷରୁ ଦର୍ଶାଯାଇଛି। ଉକ୍ତ ଦମ୍ପତି ଆୟଠାରୁ ବହୁ ଅଧିକ ବ୍ୟାଙ୍କ ଡିପୋଜିଟ ଏବଂ ସମ୍ପତ୍ତି ଠୁଳ କରିଥିବା ଇଡି ପକ୍ଷରୁ କୁହାଯାଇଛି।
ସେମାନଙ୍କର ସମସ୍ତ ବେଆଇନ ପୁଞ୍ଜିି ନଳିନୀ ପୃଷ୍ଟିଙ୍କ ମା’ ଦେବକୀ ପୃଷ୍ଟିଙ୍କ ନାମରେ ଜମା କରାଯାଇଛି। ସମସ୍ତ ଯାଞ୍ଚ ପରେ ମାମଲା ରୁଜୁ କରାଯାଇ ବେଆଇନ ସମ୍ପତ୍ତି ଜବତ କରାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଇଡିର ଜଣେ ଅଧିକାରୀ କହିଛନ୍ତି।