ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ବଢିଲା ଅଭିନେତ୍ରୀ ରକୁଲ ପ୍ରୀତଙ୍କ ଅଡୁଆ, ଇଡି ପଠାଇଲା ସମନ

ମୁମ୍ବାଇ,୧୬ ।୧୨: ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କର ଅଡୁଆ ବଢିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ତାଙ୍କୁ ସମନ ଜାରି କରାଯାଇଛି । ଏହା ପୂର୍ବରୁ ଇଡି ପକ୍ଷରୁ ଆଉ କେତେଜଣ ତେଲଗୁ ଫିଲ୍ମ ଅଭିନେତ୍ରୀଙ୍କୁ ଇଡି ପଚରା ଉଚରା କରି ସାରିଛି । ଏହି ମାମଲାରେ ରକୁଲଙ୍କୁ ୧୯ ଡିସେମ୍ବରରେ ହାଜର ହେବାକୁ କୁହାଯାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ରକୁଲ ପ୍ରୀତ ଡିସେମ୍ବର ୧ରେ ଇଡିରେ ହାଜର ହୋଇଥିଲେ ।

ସୂଚନାଯୋଗ୍ୟ, ୨୦୨୧ରେ ବି ଇଡି ରକୁଲ ପ୍ରୀତଙ୍କୁ ପଚରା ଉଚରା କରିଥିଲା । ଏବେ ତାଙ୍କୁ କଥିତ ମନି ଲଣ୍ଡରିଂ ଉପରେ ପଚରା ଉଚରା କରିଯିବ । ସାକ୍ଷି ଟେଲିଭିଜନର ଏକ ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ରାଣା ଦଗ୍‌ଗୁବାତି, ପୁରୀ ଜଗନ୍ନାଥ, ରବି ତେଜା, ଚାର୍ମି କୌର, ନବଦୀପ ଓ ଅନ୍ୟ କେତେଜଣଙ୍କୁ ବି ନୋଟିସ ଜାରି କରାଯାଇଥିଲା ।
ଡ୍ରଗ୍ସ ର‌୍ୟାକେଟର ପର୍ଦ୍ଦାଫାଶ ହୋଇଥିଲା ୨ ଜୁଲାଇ ୨୦୧୭ରେ । ଯେତେବେଳେ ସୀମା ଶୁଳ୍କ ଅଧିକାରୀମାନେ ଜଣେ ମ୍ୟୁଜିସିୟାନ କେଲ୍ୱିନ ମସ୍କାରେନହାସ ଓ ଅନ୍ୟ ୨ ଜଣଙ୍କୁ ଗିରଫ କରିଥିଲେ ଓ ସେମାନଙ୍କ ନିକଟରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଥିଲା । ସେତେବେଳେ ସେମାନେ ଯାଞ୍ଚ କରୁଥିବା ଅଧିକାରୀଙ୍କୁ କହିଥିଲେ କି ସେମାନେ ଚଳଚ୍ଚିତ୍ର ଜଗତର କେତେଜଣ କଳାକାର, ସଫ୍ଟ ୱେୟାର ଇଞ୍ଜିନିୟର ଏମିତିକି କର୍ପୋରେଟ ସ୍କୁଲର ଛାତ୍ରଙ୍କୁ ଡ୍ରଗ୍ସ ସପ୍ଲାଇ କରୁଛନ୍ତି । ଟଲିଉଡ ଦୁନିଆର କେତେଜଣ କଳାକାରଙ୍କ ମୋବାଇଲ ନମ୍ବର ସେମାନଙ୍କ କଣ୍ଟାକ୍ଟ ଲିଷ୍ଟରୁ ବି ମିଳିଥିଲା ।

Share