Categories: ଜାତୀୟ

ମନି ଲଣ୍ଡରିଂ ମାମଲାରେ ସୋନିଆ-ରାହୁଲଙ୍କୁ ଇଡିର ନୋଟିସ

ନୂଆଦିଲ୍ଲୀ,୧।୬: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଜୁନ ୮ରେ ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପଚରା ଉଚରା କରିବା ପାଇଁ ଏହି ସମନ ପଠାଯାଇଥିବା ଜଣାପଡ଼ିଛି। ବୁଧବାର କଂଗ୍ରେସ ନେତା ମନୁ ସିଂଘଓ୍ବି ଏକ ଖବରଦାତା ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ପଚରାଉଚରାରେ ସୋନିଆ ନିଶ୍ଚୟ ସାମିଲ ହେବେ। ତେବେ ବର୍ତ୍ତମାନ ରାହୁଲ ବିଦେଶ ଯାଇଛନ୍ତି। ଯଦି ସେହି ସମୟରେ ସେ ଫେରିଆସିବେ ତା’ହେଲେ କାର୍ଯ୍ୟାଳୟରେ ହାଜର ହେବେ। ନଚେତ୍‌ ଇଡିରୁ ଅଧିକ ସମୟ ମଗାଯିବ ବୋଲି ମନୁ ସିଂଘଓ୍ବି କହିଛନ୍ତି। ସୂଚନାଯୋଗ୍ୟ, ଏହି ମାମଲା ୨୦୧୫ରେ ବନ୍ଦ ହୋଇଯାଇଥିବା ବେଳେ ବର୍ତ୍ତମାନ ପୁଣି ଥରେ ଏହି ଫାଇଲ୍‌କୁ ଖୋଲାଯାଇଛି। ଅନ୍ୟପଟେ ଏହାକୁ ନେଇ କଂଗ୍ରେସର ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ଭାଜପାକୁ ଟାର୍ଗେଟ କରିଛନ୍ତି।

Share