ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି (ଏଏପି)ର ରାଜ୍ୟ ସଭା ଏମ୍ପି ସଞ୍ଜୟ ସିଂଙ୍କ ଘନିଷ୍ଠ ସହଯୋଗୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ଜାରି କରିଛି। ସଞ୍ଜୟ ସିଂଙ୍କୁ ଗୁରୁବାରଠୁ ୫ ଦିନିଆ ଇଡି ହେପାଜତକୁ ପଠାଯାଇଛି। ଏଭଳି ପରିସ୍ଥିତିରେ ଇଡିକୁ ଏହି ମାମଲାରେ ପ୍ରମାଣ ସଂଗ୍ରହ କରିବାକୁ ପଡିବ। ତେଣୁ ସଞ୍ଜୟ ସିଂଙ୍କ ସହଯୋଗୀ ସର୍ଭେଶ ମିଶ୍ରା ଏବଂ ବିବେକ ତ୍ୟାଗିଙ୍କୁ ସମନ ପଠାଯାଇଛି। ଯାହାଦ୍ୱାରା ସେମାନଙ୍କୁ ସାମ୍ନାସାମ୍ନି ବସାଇ ପଚରାଉଚରା କରାଯାଇପାରିବ। ଖବର ଅନୁଯାୟୀ ସଞ୍ଜୟ ସିଂ ସର୍ଭେଶଙ୍କୁ ୧ କୋଟି ଟଙ୍କା ଦେଇଥିଲେ।
ଗିରଫ ହୋଇଥିବା ସଞ୍ଜୟ ସିଂଙ୍କୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଯାଇଛି। ଏହି ମାମଲାରେ ୧୦ଦିନ ହେପାଜତ ପାଇଁ ଇଡି ଦାବି କରିଥିଲା। ତେବେ ଶୁଣାଣି ସମୟରେ କୋର୍ଟ ଇଡି ଆଗରେ ଅନେକ ପ୍ରଶ୍ନ ଉଠାଇଥିଲେ। ସଞ୍ଜୟ ସିଂଙ୍କୁ ରୌଜ୍ ଏଭେନ୍ୟୁ କୋର୍ଟରେ ସ୍ପେଶାଲ ଜଜ୍ ଏମ.କେ ନାଗପାଳଙ୍କ ନିକଟରେ କଡ଼ା ସୁରକ୍ଷା ଅଧୀନରେ ହାଜର କରାଯାଇଥିଲା।