ନୂଆଦିଲ୍ଲୀ,୧୦।୪: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଅଡ଼ୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ମଙ୍ଗଳବାର ଇଡି ତେଜସ୍ବୀଙ୍କୁ ପଚରାଉଚରା କରିବ। ଏଥିପାଇଁ ଯାଞ୍ଚ ଏଜେନ୍ସି ଆରଜେଡି ନେତାଙ୍କୁ ନିଜ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟକୁ ଡକାଇଛି। ସୂଚନାଯୋଗ୍ୟ, ଏହି ମାମଲା ୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ତାଙ୍କ ପରିବାରକୁ ଉପହାର କିମ୍ବା ବିକ୍ରୟ କରାଯାଇଥିବା ଜମି ବଦଳରେ ରେଲଓ୍ବେରେ ନିଯୁକ୍ତି ସହ ଜଡିତ। ସିବିଆଇ ଏହାର ଯାଞ୍ଚ କରୁଛି। ସିବିଆଇ ନିଜର ଚାର୍ଜଶିଟରେ ଉଲ୍ଲେଖ କରିଛି ଯେ, ଭାରତୀୟ ରେଲଓ୍ବେରେ ନିର୍ଦ୍ଧାରିତ ନିୟମ ଏବଂ ପ୍ରକ୍ରିୟାକୁ ଉଲ୍ଲଂଘନ କରି ଏହି ନିଯୁକ୍ତି ଦିଆଯାଇଛି।