ସେପ୍ଟେମ୍ବରରେ ଆସିବ ଚଳଚ୍ଚିତ୍ର ‘ଏଡିୟୁ ଗୋଦାର’

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ସର୍ବଭାରତୀୟ ସ୍ତରରେ ସେପ୍ଟେମ୍ବର ୨ରେ ପ୍ରେକ୍ଷାଳୟକୁ ଆସୁଛି ଓଡ଼ିଆ ଫିଚର୍‌ ଚଳଚ୍ଚିତ୍ର ‘ଏଡିୟୁ ଗୋଦାର’। ଚଳଚ୍ଚିତ୍ରଟି ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଅନେକ ଫେଷ୍ଟିଭାଲରୁ ସଫଳତା ହାସଲ କରିସାରିଲାଣି। ତେବେ ଏହା ଓଡ଼ିଆମାନଙ୍କ ମନ ଜିଣିପାରିବ କି ନାହିଁ ତାହା ମୁକ୍ତିଲାଭ ପରେ ଜଣାପଡ଼ିବ। ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ ଓ ମୁମ୍ବାଇରେ ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ସ୍ବସ୍ତିକ ଆର୍ଟ ହାଉସ୍‌ ବ୍ୟାନରରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରକୁ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶନା ଓ ରଚନା କରିଛନ୍ତି। ବିଶେଷ କରି ଅଭିନେତା ଚୌଧୁରୀ ବିକାଶ ଦାସଙ୍କ ଅଭିନୟ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଆକୃଷ୍ଟ କରିବ ବୋଲି ଆଶା କରାଯାଇଛି। ଏକକ ଭିନ୍ନ ଧରଣର ବିଷୟବସ୍ତୁକୁ ନେଇ ସେ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଅନ୍ୟମାନଙ୍କ ମଧ୍ୟରେ ଦୀପନ୍ବିତ ଦାଶମହାପାତ୍ର, ସୁଧାରଶ୍ରୀ ମଧୁସ୍ମିତା, ସ୍ବସ୍ତିକ ଚୌଧୁରୀ, ଶଙ୍କର ବାସୁ ମଲ୍ଲିକ, ଅଭିଷେକ ଗିରି, ଡ. ବନିକାନ୍ତ ମିଶ୍ର, ଶ୍ୱେତପଦ୍ମା ମିଶ୍ର , ଚୌଧୁରୀ ଜୟପ୍ରକାଶ ଦାସ ପ୍ରମୁଖ ଅଭିନୟ କରିଛନ୍ତି।

Share