Categories: ବାଣିଜ୍ୟ

ଶସ୍ତା ହେବ ଖାଇବା ତେଲ

ନୂଆଦିଲ୍ଲୀ,୧୬ା୬(ଅଭୟ ଦାଶ): ଦରଦାମ ବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଥିବା ଜନସାଧାରଣଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଦେବାକୁ ଯାଇ କେନ୍ଦ୍ର ସରକାର ରିଫାଇନ ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ୧୭.୫%ରୁ ୧୨.୫%କୁ ହ୍ରାସ କରିଛନ୍ତି। ଅର୍ଥାତ୍‌ ୫% କମ୍‌ କରାଯାଇଛି। ଏହା ଗୁରୁବାରଠାରୁ ଲାଗୁ ହୋଇଛି। ୨୦୨୪ ମାର୍ଚ୍ଚ ୩୧ ଯାଏ ଏହା ବଳବତ୍ତର ରହିବ ବୋଲି ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ବିଜ୍ଞପ୍ତିରୁ ଜଣାପଡ଼ିଛି। ଏହି ହ୍ରାସ ପରେ ଏହି ଦୁଇ ଖାଇବା ତେଲର ପ୍ରଭାବୀ ଆମଦାନୀ ଶୁଳ୍କ ୧୩.୭୫% ହୋଇଛି, ଯେଉଁଥିରେ ମୌଳିକ ଆମଦାନୀ ଶୁଳ୍କ ଏବଂ ଏହା ଉପରେ ୧୦% ସାମାଜିକ କଲ୍ୟାଣ ସେସ୍‌ ଅନ୍ତର୍ଭୁକ୍ତ ରହିଛି। ସେହିପରି ସମସ୍ତ ଅଶୋଧିତ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ୫.୫% ଲାଗୁ ହୋଇଛି।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମୌଳିକ ଆମଦାନୀ ଶୁଳ୍କ ଏପରି ଏକ ଟିକସ, ଯାହା ଘରୋଇ ବଜାରରେ ଖାଇବା ତେଲ ମୂଲ୍ୟକୁ ମହଙ୍ଗା କରେ। ଫଳରେ ଖାଉଟିଙ୍କୁ ଅଧିକ ଅର୍ଥ ଦେଇ ଖାଇବା ତେଲ କିଣିବାକୁ ହୋଇଥାଏ। ରିଫାଇନ୍‌ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଉପରୁ ମୌଳିକ ଆମଦାନୀ ଶୁଳ୍କ ହ୍ରାସ ହେବା ଫଳରେ ଘରୋଇ ବଜାରରେ ଏହି ଦୁଇ ତେଲର ଖୁଚୁରା ମୂଲ୍ୟ କମିବ। ଏହା ଫଳରେ ଖାଉଟି ଉପକୃତ ହେବେ। କେନ୍ଦ୍ର ସରକାର ୨୦୨୧ ଅକ୍ଟୋବରରେ ରିଫାଇନ୍‌ ହୋଇଥିବା ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ୩୨.୫ ଶତାଂଶରୁ ୧୭.୫ ଶତାଂଶକୁ ହ୍ରାସ କରିଥିଲେ। ସେତେବେଳେ ଏହି ଦୁଇ ତେଲର ଅନ୍ତର୍ଜାତୀୟ ମୂଲ୍ୟ ଅତି ଅଧିକ ଥିବାରୁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ। ସେତେବେଳେ ମୌଳିକ ଆମଦାନୀ ଶୁଳ୍ପ ଉଚ୍ଚା ଥିବା ଯୋଗୁ ଘରୋଇ ବଜାରରେ ଏହି ତେଲର ଦାମ ବହୁ ଅଧିକ ଥିଲା ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏସ୍‌ଇଏ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି.ଭି. ମେହେଟା କହିଛନ୍ତି ଯେ, ଅଶୋଧିତ ଏବଂ ରିଫାଇନ୍‌ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ମଧ୍ୟରେ ଆମଦାନୀ ଶୁଳ୍କ ପାର୍ଥକ୍ୟ କମ୍‌। ତଥାପି ରିଫାଇନ୍‌ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲର ଶିପ୍‌ମେଣ୍ଟ ସମ୍ଭାବନା ବହୁତ କମ୍‌। କିନ୍ତୁ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ବଜାର ଉପରେ ଅସ୍ଥାୟୀ ଭାବେ କିଛି ପ୍ରଭାବ ପଡ଼ିପାରେ ବୋଲି ମେହେଟା କହିଛନ୍ତି। ସାଧାରଣତଃ ଭାରତ ଅନ୍ୟ ଦେଶରୁ ସୋୟାବିନ ଓ ସନ୍‌ଫ୍ଲାଓ୍ବାର ତେଲ ଅଶୋଧିତ ଆକାରରେ ଆମଦାନୀ କରିଥାଏ। ଏହାପରେ ତାହାକୁ ରିଫାଇନ କରାଯାଇ ବଜାରରେ ବିକ୍ରି ହୋଇଥାଏ। ସୂଚନାଯୋଗ୍ୟ ଯେ, ଦେଶରେ ଚାହିଦାର ପ୍ରାୟ ୬୦ ପ୍ରତିଶତ ଖାଇବା ତେଲ ବାହାରୁ ଆମଦାନୀ ହୋଇଥାଏ।

Share