କେପ୍ଟାଉନ୍,୧୭ା୨: ଦକ୍ଷିଣ ଆଫ୍ରିକାରେ ମହିଳାମାନଙ୍କ ବିରୋଧରେ ଯୌନ ନିର୍ଯାତନା ବଢ଼ିଚାଲିଥିବାବେଳେ ଦେଶର ମୌଳିକ ଶିକ୍ଷାମନ୍ତ୍ରୀ ଆଙ୍ଗିଏ ମୋଟ୍ଶେକ୍ଗା କହିଛନ୍ତି, ଶିକ୍ଷିତ ପୁରୁଷମାନେ ବଳାତ୍କାର କରନ୍ତି ନାହିଁ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଶିକ୍ଷାମନ୍ତ୍ରୀ ଉକ୍ତ ବିବାଦୀୟ ମନ୍ତବ୍ୟକୁ ପ୍ରତ୍ୟାହାର କରି କ୍ଷମା ମାଗନ୍ତୁ ବୋଲି ଦେଶର ସର୍ବବୃହତ୍ ବିରୋଧୀ ଦଳ ଡେମୋକ୍ରାଟିକ୍ ଆଲାଏନ୍ସ ଦାବି କରିଛି।
ପ୍ରିଟୋରିଆର ଏକ ସ୍କୁଲକୁ ଉଦ୍ଘାଟନ କରି ସୋମବାର ଶିକ୍ଷାମନ୍ତ୍ରୀ ଆଙ୍ଗିଏ କହିଥିଲେ, ସରକାର ଶିକ୍ଷା ଉପରେ ପ୍ରାଥମିକତା ଦେଉଛନ୍ତି। କାରଣ ଶିକ୍ଷା ଦ୍ୱାରା ହିଁ ଆମେ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିପାରିବା ବୋଲି ସରକାର ଜାଣିଛନ୍ତି। କୌଣସି ଶିକ୍ଷିତ ପୁରୁଷ କେବେ ବଳାତ୍କାର କରନ୍ତି ନାହିଁ। ଶିକ୍ଷାମନ୍ତ୍ରୀ ଏପରି କହୁଥିବାବେଳେ ଉପସ୍ଥିତ ଛାତ୍ରୀଛାତ୍ର ତାଙ୍କୁ ଜବାବ ଦେଇଥିଲେ, ପୁରୁଷମାନେ ବଳାତ୍କାର କରନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିରୋଧୀ ଦଳ ଓ୍ବାନ୍ ସାଉଥ୍ ଆଫ୍ରିକା ମୁଭ୍ମେଣ୍ଟ ନେତା ମୁସି ମାଇମେନ୍ କହିଛନ୍ତି, ଦେଶରେ ହେଉଥିବା ବଳାତ୍କାର ଓ ଲିଙ୍ଗଭିତ୍ତିକ ହିଂସା ସମ୍ପର୍କରେ ଶିକ୍ଷାମନ୍ତ୍ରୀଙ୍କ ଜ୍ଞାନ ନ ଥିବାରୁ ସେ ଏପରି ମନ୍ତବ୍ୟ ଦେଇଛନ୍ତି। ସେ ତୁରନ୍ତ ଇସ୍ତଫା ଦେବା ଜରୁରୀ। ବିବାଦ ସୃଷ୍ଟି ହେବା ପରେ ତାଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଥିବା ଶିକ୍ଷାମନ୍ତ୍ରୀ ସଫେଇ ଦେଇଛନ୍ତି।