Advertisement

ପାର୍ଟଟାଇମ ଚାକିରି ନାଁରେ ଆସୁଛି ଏସ୍‌ଏମ୍‌ଏସ୍‌: ଜାଲରେ ଫସୁଛନ୍ତି ଶିକ୍ଷିତ ବେକାରି

ଭୁବନେଶ୍ୱର,୨୪।୧(ବ୍ୟୁରୋ): ସାରା ଦେଶରେ ଅନଲାଇନ ଠକେଇ ମୁଣ୍ଡ ବ୍ୟଥା ପାଲଟିଛି। ସାଇବର ଠକ ଘରେ ବସି ନୂଆ ନୂଆ ତରିକାରେ ଲୋକଙ୍କୁ ଠକୁଛନ୍ତି। ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସହ ଜଡିତ ଥିବା ଲୋକେ ସଚେତନତା ଅଭାବରୁ ଖୁବ ସହଜରେ ଏମିତିକା ଠକଙ୍କ ଶିକାର ହେଉଛନ୍ତି। କେତେବେଳେ ବ୍ୟାଙ୍କ କର୍ମଚାରୀ ସାଜି ତ କେତେବେଳ ଗିଫ୍ଟ ଲୋଭ ଦେଖାଇ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିନେଉଛନ୍ତି। ଏବେ ଠକମାନେ ପାର୍ଟ ଟାଇମ ଚାକିରି ନାଁରେ ଶିକ୍ଷିତ ଯୁବତୀଯୁବକଙ୍କୁ ଟାର୍ଗେଟ କରୁଛନ୍ତି। ଘରେ ବସି ଟଙ୍କା ରୋଜଗାର କରନ୍ତୁ ଆଦି ମେସେଜ ମୋବାଇଲ ଫୋନ୍‌କୁ ପଠାଉଛନ୍ତି। କେହି ବିଶ୍ୱାସ କରି ଦିଆଯାଇଥିବା ଲିଙ୍କ ଖୋଲିଲେ କିମ୍ବା ସମ୍ପୃକ୍ତ ନମ୍ବରରେ କଲ୍‌ କଲେ ଚାକିରି ଦେବାକୁ କହି ଟଙ୍କା ଠକି ନେଉଛନ୍ତି। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ନ୍ୟାଶନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଭଳି କୌଣସି ମେସେଜ ଆସିଲେ ତାହାକୁ ଅଣଦେଖା କରିବା ପାଇଁ ଏଥିରେ କୁହାଯାଇଛି। ସାଇବର ଦୋସ୍ତ ପକ୍ଷରୁ ଏନେଇ ସତର୍କ କରାଯିବା ସହ ଏପରି କୌଣସି ଲିଙ୍କ୍‌ରେ କ୍ଲିକ୍‌ ନ କରିବାକୁ ପରାମର୍ଶ ଦିଆଯାଇଛି। ଯଦି ଏପରି କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ସାଇବର ହେଲ୍ପ ଲାଇନ ନମ୍ବର ୧୫୫୨୬୦ରେ ସକାଳ ୯ରୁ ସନ୍ଧ୍ୟା ୬ଟା ମଧ୍ୟରେ ଯୋଗାଯୋଗ ପାଇଁ ପରାମର୍ଶ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share