ସେ ଲେଖାଲେଖିରେ ହେଉ କି ସାଙ୍ଗଠନିକ କାର୍ଯ୍ୟ ଅଥବା ଦପ୍ତର, ସବୁଠି ସବୁକ୍ଷେତ୍ରରେ ସେ ପାରଙ୍ଗମ। ସେଥିରେ ପୁଣି ଏକଦମ ପାରିବାରିକ। ଇଏ ହେଲେ ”ବିଦ୍ୟୁତ୍ଲତା ଦାସ“। ଦେଖିଦେଲେ ମାଆପଣର ଉଜ୍ଜ୍ବଳତା ବାରି ହୋଇପଡେ ତାଙ୍କ ଚେହେରାରେ । ବୟସ ତାଙ୍କ ପାଇଁ ସମର୍ଥ୍ୟର ମାପକାଠି ନୁହେଁ , ଏହି କଥା ସ୍ପଷ୍ଟ ବାରିହୋଇ ଦିଶୁଥାଏ ତାଙ୍କ ଆଚରଣ ଓ ଉଚ୍ଚାରଣରେ । ଶିଶୁ ଭଳି ଯେମିତି କୋମଳ ଓ ପରିଚ୍ଛନ୍ନ ତାଙ୍କ ଆପଣାପଣ, ବୟସ୍କଙ୍କ ଭଳି ସେତିକି ଗମ୍ଭୀର ଏବଂ ପରିପକ୍ୱ ତାଙ୍କ ଲେଖା ଓ ଅନୁଶାସନ । ଉଭୟ ଶିକ୍ଷା ଓ ସାହିତି୍ୟକ ସର୍ଜନା କ୍ଷେତ୍ରରେ ତାଙ୍କ ସ୍ବାକ୍ଷର ଉଜ୍ଜ୍ୱଳ । ଜଣେ ଶିକ୍ଷୟିତ୍ରୀ ହିସାବରେ ସେ ହଜାର ହଜାର କୋମଳମତି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନିର୍ମାଣରେ ସହାୟକ ହୋଇଛନ୍ତି ,ପୁଣି କବିତା ରଚନା ଓ ଅନୁବାଦ ମାଧ୍ୟମରେ ସାହିତ୍ୟ କ୍ଷେତ୍ରକୁ କରିଛନ୍ତି ପରିପୁଷ୍ଟ । ଉଭୟ ବିଭା ତାଙ୍କ ବ୍ୟକ୍ତିତ୍ୱ ପାଇଁ ପରସ୍ପରର ପରିପୂରକ ସାବ୍ୟସ୍ତ ହୋଇଛନ୍ତି । ଯାଜପୁର ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷା ଭାବରେ ସେ ଶିଶୁ କଲ୍ୟାଣ କ୍ଷେତ୍ରରେ କରିଛନ୍ତି ନିଷ୍ଠାପର କାର୍ଯ୍ୟ । ଜୀବନ ପ୍ରତି ଏତେ ସକାରାତ୍ମକ ଦୃଷ୍ଟିକୋଣ କେମିତି ପଚାରିଲେ ହସି ହସି ଉତ୍ତର ଦିଅନ୍ତି -‘ମଣିଷ ଯେତେବେଳେ ସମ୍ପୂର୍ଣ୍ଣ ନିଃସ୍ବ ହୋଇଯାଏ ସେତେବେଳେ, କୌଣସି ଅଭିଳାଷ , କାମନା କି ଆକାଂକ୍ଷାର ଊର୍ଦ୍ଧ୍ୱକୁ ଯାଇ ସେ ଶାନ୍ତ ଓ ସ୍ଥିର ହୋଇଯାଏ । ସଂଘର୍ଷ ଓ ଯନ୍ତ୍ରଣା ସହ ରହି ରହି ଉପଲବ୍ଧି ହୋଇଛି ଯେ, ତାକୁ ହିଁ ଈଶ୍ୱର ବେଶି ଦୁଃଖରେ ଘାଣ୍ଟି ଚାଲିଥାନ୍ତି, ଯାହାକୁ ସେ ଭଲପାଉଥାନ୍ତି । ତେଣୁ ସୁଅ ମୁହଁରେ ପତର ପ୍ରାୟେ ମୁଁ କେବଳ ଜୀବନର ସୁଅରେ ଭାସିଚାଲିଛି । ବୁଝିସାରିଛି ଅବାଞ୍ଛିତ ଅଭିଳାଷ ଭିତରେ ଛନ୍ଦିହୋଇ ଦୁଃଖକୁ ସାଉଁଟିବା ଅପେକ୍ଷା ସାମ୍ନାକୁ ଆସୁଥିବା ସବୁ ଛୋଟ ବଡ଼ ଦାୟିତ୍ୱକୁ ଖୁସି ଖୁସି ନିର୍ବାହ କରିବା ହେଉଛି ମୋ ଜୀବନ ।
ବିଦ୍ୟୁତ୍ଲତାଙ୍କର ସାହିତ୍ୟ ଅନୁରାଗ ଅତ୍ୟନ୍ତ ଗଭୀର । ‘ମାଟିର ମମତା’,‘ଅଞ୍ଜଳି’,‘ଶୂନ୍ୟ ହାତ’,‘ଡାଆଣୀ ଆଲୁଅ’, ‘ମିଛ ମୋହ’,‘ତୋତେ ଯାହା ମନା’,‘ମେଘର ପାଉଁଜି’, ‘ପକ୍ଷୀ ମୋହ’ ଓ ‘କେହି ଜଣେ ଭଳି’ ଲୋକପ୍ରିୟ ପୁସ୍ତକ ରଚନା କରିବା ସହ ସେ କଲ୍ଲୋଳିନୀ ପ୍ରଥମ ଓ ଦ୍ୱିତୀୟ ଭାଗ ନାମରେ ବଙ୍ଗଳା କବିତାର ଓଡ଼ିଆ ଅନୁବାଦ କରିଛନ୍ତି । ପୁଣି ରବୀନ୍ଦ୍ରନାଥଙ୍କ ‘ରାଜର୍ଷି’ , ରଞ୍ଜନ ବନ୍ଦୋପାଧ୍ୟାୟଙ୍କ ‘କାଦମ୍ବରୀ ଦେବୀର ଶେଷ ଚିଠି’, ‘ମୃଣାଳିନୀର ଆତ୍ମକଥା’ , ‘ମିଜର୍ର୍ା ଏଲିୟାଦଙ୍କ (ମିର୍ଜା ଏଲିୟାଡ୍)ଗୋଟିଏ ରାତିର କାହାଣୀ’ ଓ ତାରାଶଙ୍କର ‘ନା’ ଉପନ୍ୟାସର ଅନୁବାଦ କରି ବଙ୍ଗଳା ଓ ଓଡ଼ିଆ ସାହିତ୍ୟ ଭିତରେ ସମ୍ପର୍କର ସେତୁ ବାନ୍ଧିବାକୁ ସକ୍ଷମ ହୋଇପାରିଛନ୍ତି । ତାଙ୍କ କବିତାଗୁଡ଼ିକରେ ଚୁମ୍ବକୀୟ ଆକର୍ଷଣ ଯେତିକି କଥା ଓ ଅନୁବାଦରେ ସେ ମୌଳିକ, ସାବଲୀଳ ଏବଂ ଜୀବନ୍ତ ସେତିକି ।
ଏହି ମହୀୟସୀ ମହିଳା ୧୯୫୨ ମସିହା ଅକ୍ଟୋବର ୧୦ରେ ସ୍ବାଧୀନତା ସଂଗ୍ରାମୀ ରଙ୍ଗାଧର ଦାସ ଓ ବୈଦେହୀ ଦାସଙ୍କ କନ୍ୟା ରୂପେ ଭୂମିଷ୍ଠ ହୋଇଥିଲେ । ନିଜର ଅଧ୍ୟୟନ ନିଷ୍ଠା ହେତୁ ସେ ଓଡ଼ିଆରେ ସ୍ନାତକୋତ୍ତର ସହ ବି.ଏଡ୍. ଡିଗ୍ରୀ ଲାଭକରି ରାମବାଗ ଉଚ୍ଚ ବିଦ୍ୟାଳୟରୁ ଶିକ୍ଷକତାର ଜୀବନ ଆରମ୍ଭ କରିଥିଲେ । ଦଶରଥପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ସେବା ନିବୃତ୍ତ ହୋଇଥିବା ବିଦ୍ୟୁତ୍ଲତା ଅନ୍ୟାନ୍ୟ ସମାଜ ଓ ସାହିତ୍ୟ କାର୍ଯ୍ୟରେ ଏଯାବତ ସକ୍ରିୟ ଅଛନ୍ତି। ତାଙ୍କର ସାହିତି୍ୟକ ଓ ସାମାଜିକ କାର୍ଯ୍ୟ ପାଇଁ ସେ ଯାଜପୁର ଜିଲା ଲେଖକ ସମ୍ମେଳନ ,କୋରେଇ ମଣ୍ଡଳ ସାହିତ୍ୟ ସଂସଦ , ବିବର୍ତ୍ତନ ସାହିତ୍ୟ ସଂସଦ, ଯୁଗାନ୍ତର ସାହିତ୍ୟ ସଂସଦ , ଶିଳାଲିପି ସାହିତ୍ୟ ସଂସଦ , ଧର୍ମଶାଳା ସାହିତ୍ୟ ସମାଜ , ରାଜ୍ୟ ଲେଖିକା ସଂସଦ , ଯାଜପୁର ଶାଖା , ସୁକିନ୍ଦା ସାହିତ୍ୟ ସମାଜ, ରାଧାନାଥ ପାଠାଗାର ,ସୋରୋ, ଯାଜପୁର ଜିଲା ଲେଖିକା ସଂସଦ , ଟିକି ଟିକି ତାରାଫୁଲ ପ୍ରତିଭା ସମ୍ମାନ ,ଚିରନ୍ତନୀ ସମ୍ମାନ, ସୂର୍ଯ୍ୟାସ୍ତ ପ୍ରତିଭା ସମ୍ମାନ , ସାରସ୍ବତ ସାରାଂଶ ପ୍ରତିଭା ସମ୍ମାନ ,
ବାଣୀପୀଠ ସମ୍ମାନ ଭଳି ଅସଂଖ୍ୟ ପୁରସ୍କାର ଓ ସମ୍ମାନର ଅଧିକାରିଣୀ ହୋଇଛନ୍ତି । ନିଜ ବୃତ୍ତି ଓ ପ୍ରବୃତ୍ତି ଭିତରେ ସମନ୍ବୟ ରଖିପାରୁଥିବା ବିଦ୍ୟୁତ୍ଲତା ଅନ୍ୟମାନଙ୍କ ପାଇଁ ନିଶ୍ଚିନ୍ତଭାବରେ ଉଦାହରଣ।
-ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍ସ,
ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯