ICAIର ବଡ଼ ଘୋଷଣା! ଏବେ ବର୍ଷକୁ ଦୁଇଥର ନୁହେଁ ତିନି ଥର ଦେଇପାରିବେ CA ପରୀକ୍ଷା, ଜାଣନ୍ତୁ ସବିଶେଷ

ନୂଆଦିଲ୍ଲୀ,୯।୩: ଚାଚାର୍ଡ ଆକାଉଣ୍ଟାଣ୍ଟ(ସିଏ) ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଇନଷ୍ଟିଚ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍‌ ଇଣ୍ଡିଆ (ଆଇସିଏଆଇ) ଶୁକ୍ରବାର ସିଏର ଫାଉଣ୍ଡେସନ ଏବଂ ଇଣ୍ଟରମିଡିଏଟ୍‌ ପରୀକ୍ଷାକୁ ନେଇ ଏକ ବଡ଼ ଘୋଷଣା କରିଛି। ଆଇସିଏଆଇ ଏବେ ସିଏ ଫାଉଣ୍ଡେଶନ ଏବଂ ସିଏ ଇଣ୍ଟରମିଡିଏଟ୍‌ ପରୀକ୍ଷା ବର୍ଷକୁ ତିନିଥର କରିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପରୀକ୍ଷା ବର୍ଷକୁ ମାତ୍ର ଦୁଇଥର ଆୟୋଜିତ ହେଉଥିଲା। ହେଲେ ମାର୍ଚ୍ଚ ୭ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ୪୩୦ ତମ ବୈଠକରେ ଆଇସିଏଆଇ ଏହି ନିଷ୍ପତ୍ତି ନେଇଛି।

ନୂତନ ବ୍ୟବସ୍ଥାରେ ଜାନୁଆରୀ, ମେ-ଜୁନ ଏବଂ ସେପ୍ଟେମ୍ବରରେ ସିଏର ଫାଉଣ୍ଡେଶନ ଏବଂ ଇଣ୍ଟରମିଡିଏଟ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏହା ପୂର୍ବରୁ ମେ-ଜୁନ ଏବଂ ନଭେମ୍ବର-ଡିସେମ୍ବର ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେଉଥିଲା। ଏବେ ଅଧିକ ଥର ପରୀକ୍ଷା କରିବା ଦ୍ୱାରା ଛାତ୍ରଛାତ୍ରୀମାନେ ଅଧିକ ଥର ପରୀକ୍ଷା ଦେବାର ସୁଯୋଗ ପାଇବେ ବୋଲି କୁହାଯାଉଛି।

ଇନଷ୍ଟିଚ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍‌ ଅଫ ଇଣ୍ଡିଆ (ଆଇସିଏଆଇ) ଏହାର ପ୍ରେସ ବିଜ୍ଞପ୍ତିରେ କହିଛି ଯେ ଛାତ୍ରଛାତ୍ରୀଙ୍କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନୂତନ ପରିବର୍ତ୍ତନ ପରେ ପରୀକ୍ଷା ପରିଚାଳନା ପାଇଁ ସମୟ ବ୍ୟବଧାନ ୬ ମାସରୁ ୪ ମାସକୁ ହ୍ରାସ ପାଇବ। ଏହା ସହିତ ଛାତ୍ରମାନେ ପରୀକ୍ଷାରେ ଉପସ୍ଥିତ ହେବାକୁ ଅଧିକ ସୁଯୋଗ ପାଇବେ। ତେବେ ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କର ପରୀକ୍ଷା ଅଧ୍ୟୟନ ସମାପ୍ତ କରିଛନ୍ତି ସେମାନଙ୍କୁ ପରୀକ୍ଷା ପାଇଁ ଅତିରିକ୍ତ ୨ ମାସ ଅପେକ୍ଷା କରିବାକୁ ପଡିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଜୁନ-ମେରେ ହେବାକୁ ଥିବା ସିଏ ପରୀକ୍ଷାର ଅନ୍ତିମ ତାରିଖ ଆଇସିଏଆଇ ପ୍ରକାଶ କରିଛି। ଏପର୍ଯ୍ୟନ୍ତ ୪,୩୬,୫୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ପଞ୍ଜିକୃତ କରିଛନ୍ତି । ସିଏ ଫାଉଣ୍ଡେଶନ ପରୀକ୍ଷା ୨୦-୨୬ ଜୁନ ୨୦୨୪ ରୁ ଅନୁଷ୍ଠିତ ହେବ। ସିଏ ଇଣ୍ଟରମିଡିଏଟ୍‌ ଉଭୟ ଗ୍ରୁପ୍‌ର ତାରିଖ ଭିନ୍ନ ଏବଂ ସେଗୁଡିକ ୩-୧୩ ମେ ମଧ୍ୟରେ ଅନୁଷ୍ଠିତ ହେବ। ସିଏ ଫାଇନାଲ ପରୀକ୍ଷା ମଧ୍ୟ ମେ ମାସରେ ଶେଷ ହେବ।

Share