Categories: ଜାତୀୟ

ସ୍କୁଲରେ ଇଂଲିଶ୍‌ ମାଧ୍ୟମରେ ଶିକ୍ଷାକୁ ବାଧ୍ୟତାମୂଳକ ଭାବେ ଲାଗୁ କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

ଯୋଧପୁର, ୬।୧ : ବିଦ୍ୟାଳୟରେ ଇଂଲିଶ୍‌ ମାଧ୍ୟମରେ ଶିକ୍ଷାକୁ ବାଧ୍ୟତାମୂଳକ ଭାବେ ଶିକ୍ଷାର୍ଥୀମାନଙ୍କ ପାଇଁ ଲାଗୁ କରାଯାଇ ପାରିବ ନାହିଁ। ଏହା ଦ୍ୱାରା ସମ୍ବିଧାନର ଧାରା ୧୯-୧-ଏ ଏବଂ ୧୪ର ଉଊ୍ଲଂଘନ ହେବ ବୋଲି ରାଜସ୍ଥାନ ହାଇକୋର୍ଟଙ୍କ ଯୋଧପୁର ବେଞ୍ଚ୍‌ ପକ୍ଷରୁ ଏକ ମାମଲାର ବିଚାର କରାଯାଇ ରାୟ ପ୍ରଦାନ ହୋଇଛି।

ବିଚାରପତି ଦିନେଶ ମେହେଟ୍ଟାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପିଲଓ୍ବାସ୍ଥିତ ଶ୍ରୀ ହରି ସିଂ ସିନିଅର ସେକେଣ୍ଡାରୀ ସ୍କୁଲର ସ୍କୁଲ ବିକାଶ ପ୍ରବନ୍ଧନ କମିଟି ପକ୍ଷରୁ କରାଯାଇଥିବା ଆବେଦନର ବିଚାର କରି ଏଭଳି ରାୟ ଦେଇଛନ୍ତି। ଏହି ସ୍କୁଲର ନାମକୁ ୨୦୨୧ରେ ରାଜ୍ୟ ସରକାର ମହାତ୍ମାଗାନ୍ଧୀ ସରକାରୀ ସ୍କୁଲ ଭାବେ ପରିବର୍ତ୍ତନ କରିବା ସହିତ ଏହାକୁ ଇଂଲିଶ୍‌ ମାଧ୍ୟମ ବୋଲି ଘୋଷଣା କରିଥିଲେ।

ପୂର୍ବରୁ ସ୍କୁଲରେ ଶିକ୍ଷାଦାନର ମାଧ୍ୟମ ଇଂଲିଶ୍‌ ଥିଲା। ଏହା ସହିତ ରାଜ୍ୟ ସରକାର ୩୪୫ଟି ସ୍କୁଲର ଶିକ୍ଷାଦାନ ମାଧ୍ୟମକୁ ପରିବର୍ତ୍ତନ କରି ଇଂଲିଶ୍‌ କରାଇଥିଲେ। ତେବେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍କୁଲ ବିକାଶ ପ୍ରବନ୍ଧନ କମିଟି ପକ୍ଷରୁ ବିରୋଧ କରାଯାଇ ହାଇକୋର୍ଟରେ ଏକ ଆବେଦନ ହୋଇଥିଲା। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କୋର୍ଟ ଖାରଜ କରିଛନ୍ତି।

ତେବେ ଖଣ୍ଡପୀଠ କହିଛନ୍ତି ଯେ, ଶିକ୍ଷାର ମାଧ୍ୟମ ଏବଂ ଶିକ୍ଷାର୍ଥୀଙ୍କ ବିକାଶ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଉଥିବା ଶିକ୍ଷାଦାନ ମାଧ୍ୟମ ଯୁକ୍ତିଯୁୂକ୍ତ। ତେବେ ମାଧ୍ୟମ ଆଞ୍ଚଳିକ ଅବା କଥିତ ଭାଷାରେ ହେବ ବୋଲି କରାଯାଉଥିବା ଦାବି ସାମ୍ବିଧାନିକ ଧାରା ୨୧-ଏ ଅନ୍ତର୍ଗତ ମୌଳିକ ଅଧିକାର ଭାବେ ବିବେଚନା କରାଯିବ ନାହିଁ। ଶିକ୍ଷାଦାନ ମାଧ୍ୟମକୁ ଶିକ୍ଷାର୍ଥୀ ଅବା ଅଭିଭାବକ ଅଧିକାର ବୋଲି ଦାବି କରି ପାରିବେ ନାହିଁ।

ମାତ୍ର ଶିକ୍ଷାଦାନ ମାଧ୍ୟମକୁ ବାଧ୍ୟତାମୂଳକ ଭାବେ ଶିକ୍ଷାର୍ଥୀଙ୍କ ଉପରେ ଲଦି ଦିଆ ଯାଇ ପାରିବ ନାହିଁ। ସ୍କୁଲରେ ଶିକ୍ଷାଦାନ ମାଧ୍ୟମ ସମ୍ପର୍କରେ ନିଷ୍ପତ୍ତି ରାଜସ୍ଥାନ ସ୍କୁଲ ଶିକ୍ଷା ପରିଷଦ ଦ୍ୱାରା ଗ୍ରହଣ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

Share