ବସ୍ତି ପିଲାଙ୍କୁ ଇଂରାଜୀ ପଢ଼ାଉଛନ୍ତି ଏହି ଛାତ୍ରୀ, ଛୁଟୁଛି ପ୍ରଶଂସାର ସୁଅ

ରାଞ୍ଚି,୭।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର ଦେଓଘର କଲେଜର ଛାତ୍ରୀ ନେହା ପାଣ୍ଡେ ନିଜର ପାଠପଢ଼ା ସରିବା ପରେ ବସ୍ତି ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି। ଏହି ଶ୍ରେଣୀରେ ବସ୍ତି ପିଲାମାନେ କିପରି ଇଂରାଜୀ କହିପାରିବେ ସେ ବିଷୟରେ ଶିଖାଉଛନ୍ତି। ଏଥିସହିତ ପିଲାମାନଙ୍କୁ ଗଣିତ ଏବଂ ଅନ୍ୟ ବିଷୟ ମଧ୍ୟ ପଢ଼ାଉଛନ୍ତି।

ନିଜର ଖାଲି ସମୟରେ ନେହାଙ୍କ ସହ ଆଉ କିଛି ଛାତ୍ରୀ ସାମିଲ ହୋଇ ବସ୍ତି ପିଲାଙ୍କୁ ପଢ଼ାଉଛନ୍ତି। କାରଣ ସେମାନେ ଚାହାନ୍ତି ବସ୍ତିର ପିଲାମାନେ ଆବର୍ଜନା ନ ଉଠାଇ ନିଜର ପରିବାର ଚଳାଇବା ପାଇଁ ମା-ବାପାଙ୍କୁ ସାହାଯ୍ୟ କରନ୍ତୁ। ଏହି ପିଲାମାନେ ସ୍କୁଲ କ’ଣ ଜାଣି ନାହାନ୍ତି। ମାତ୍ର ବର୍ତ୍ତମାନ ଇଂରାଜୀ ଶବ୍ଦର ଉଚ୍ଚାରଣ ବେଶ୍‌ ଭଲ ଭାବେ କରିପାରୁଛନ୍ତି। ପ୍ରଥମେ ଯେତେବେଳେ ଦେଓଘର କଲେଜର ଛାତ୍ରୀମାନେ ଏପରି ପ୍ରୟାସ ଆରମ୍ଭ କଲେ ସେତେବେଳେ ଜଣେ ଦୁଇଜଣ ପିଲାଙ୍କୁ ନେଇ କ୍ଲାସ ଆରମ୍ଭ କରିଥିଲେ। ଏବେ ଏହି ସଂଖ୍ୟା ୩୫ରେ ପହଞ୍ଚିଛି। ନେହା ପ୍ରଥମ ଥର ରେଲଓ୍ବେ ଷ୍ଟେଶନ ନିକଟରେ ଥିବା ବସ୍ତିର କିଛି ପିଲାଙ୍କୁ ନେଇ ପଢ଼ାଇଥିଲେ। ଏହା ପରେ ତାଙ୍କର ଦୁଇ ସାଙ୍ଗ ତାଙ୍କ ସହିତ ମିଶି ପିଲାଙ୍କୁ ପଢ଼ାଇବା ପାଇଁ ଆଗଭର ହେଲେ। ନେହା ବିଏଡ୍‌ କରିଛନ୍ତି। ତାଙ୍କ ସାଙ୍ଗ ମୋନିକା ବିଏ ପଢିବା ସହ ପିଲାଙ୍କୁ ପଢ଼ାଉଛନ୍ତି। ଏହି ଛାତ୍ରୀମାନଙ୍କ ଏପରି ପ୍ରୟାସ ଦେଖି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

Share