Categories: ଜାତୀୟ

ଶିକ୍ଷା ଲାଭଦାୟକ ବ୍ୟବସାୟ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯ା୧୧(ପି.ଟି.): ଲାଭ ଉପାର୍ଜନ ଲାଗି ଶିକ୍ଷା ଏକ ବ୍ୟବସାୟ ନୁହେଁ, ଟ୍ୟୁଶନ ଫି ସର୍ବଦା ଲୋକଙ୍କ ସାମର୍ଥ୍ୟ ଯୋଗ୍ୟ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିବା ସହ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ମେଡିକାଲ କଲେଜଗୁଡ଼ିକରେ ବାର୍ଷିକ ଟ୍ୟୁଶନ ଫି ୨୪ ଲକ୍ଷ ଟଙ୍କାକୁ ବଢ଼ାଇବା ଲାଗି ଆନ୍ଧ୍ର ସରକାରଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ଏଥିସହିତ ଖର୍ଚ୍ଚ ଭରଣା ଲାଗି ଆବେଦନକାରୀ, ନାରାୟଣ ମେଡିକାଲ କଲେଜ ଏବଂ ଆନ୍ଧ୍ର ସରକାରଙ୍କ ୫ ଲକ୍ଷ ଟଙ୍କା ୬ ସପ୍ତାହ ମଧ୍ୟରେ କୋର୍ଟ ରେଜିଷ୍ଟ୍ରାରଙ୍କ ନିକଟରେ ଜମା କରିବାକୁ ଜଷ୍ଟିସ୍‌
ଏମ୍‌.ଆର୍‌. ଶାହା ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଉପରେ ବାର୍ଷିକ ୨୪ ଲକ୍ଷ ଟଙ୍କା ଦେୟ ଧାର୍ଯ୍ୟ କରାଯିବା ପୂର୍ବରୁ ଧାର୍ଯ୍ୟ ହୋଇଥିବା ଦେୟଠାରୁ ୭ ଗୁଣ ଅଧିକ। ଏହା ଯଥାର୍ଥ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ଆନ୍ଧ୍ରପ୍ରଦେଶ ନାମଲେଖା ଓ ଦେୟ ନିୟାମକ କମିଟି ନିୟମାବଳୀ, ୨୦୦୬ର ବ୍ୟବସ୍ଥା ଅନୁଯାୟୀ କମିଟିର ବିନା ସୁପାରିସ କିମ୍ବା ରିପୋର୍ଟରେ ଦେୟ ବଢ଼ାଯାଇପାରିବ ନାହିଁ ବୋଲି ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଟ୍ୟୁଶନ ଦେୟ ଧାର୍ଯ୍ୟ ସମ୍ପର୍କରେ ବିଚାର କଲାବେଳେ ନାମଲେଖା ଓ ଦେୟ ନିୟାମକ କମିଟି ଶିକ୍ଷାନୁଷ୍ଠାନର ଅବସ୍ଥିତି, ପେସାଦାରି ପାଠ୍ୟକ୍ରମର ସ୍ବଭାବ, ଉପଲବ୍ଧ ଭିତ୍ତିଭୂମିର ମୂଲ୍ୟ ଆଦି କାରକ ସମ୍ପର୍କରେ ବିଚାର କରିବା ଆବଶ୍ୟକ। ସରକାରଙ୍କ ବେଆଇନ ନିର୍ଦ୍ଦେଶନାମା ଅନୁଯାୟୀ ଖର୍ଚ୍ଚ ହେଉଥିବା ଅର୍ଥ ଆଦାୟ କରିବାକୁ କଲେଜ ପରିଚାଳନା ସଂସ୍ଥାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

Share