Categories: ଫୁରସତ

ଶିକ୍ଷା ହିଁ ଆଣେ ବିକାଶ

ଶିକ୍ଷା ହେଉଛି ଏକ ମାନବିକ ଅଧିକାର। ସମସ୍ତେ କିଭଳି ଲେଖିବା, ପଢ଼ିବା ଜାଣିବେ ତାହା ପୃଥିବୀର ପ୍ରତି ଦେଶ ସରକାରଙ୍କ ଦାୟିତ୍ୱ। ଯେକୌଣସି ଦେଶର ବିକାଶ ଏହାର ସମୃଦ୍ଧ ମାନବ ସମ୍ବଳ ଉପରେ ହିଁ ନିର୍ଭର କରିଥାଏ। ସମୃଦ୍ଧ ମାନବ ସମ୍ବଳ ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜାନୁୟାରୀ ୨୪ରେ ଅନ୍ତର୍ଜାତୀୟ ଶିକ୍ଷା ଦିବସ ପାଳନ କରାଯାଇଥାଏ। ଏହି ଦିନଟି ସମ୍ପୂର୍ଣ୍ଣ ଭାବେ ଶିକ୍ଷା ପାଇଁ ଉତ୍ସର୍ଗୀକୃତ। ୩ ଡିସେମ୍ବର ୨୦୧୮ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏହି ଦିବସ ପାଳନ ଲାଗି ଏକ ସଂକଳ୍ପ ଗ୍ରହଣ କରିଥିଲେ। ଅନ୍ତର୍ଜାତୀୟ ଶିକ୍ଷା ଦିବସ ଭାବେ ଘୋଷଣା କରାଯାଇ ବିଶ୍ୱ ଶାନ୍ତି ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ଶିକ୍ଷାର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବାର ଉଦ୍ୟମ ଅବ୍ୟାହତ ରହିଛି।
ସମାନ ଗୁଣାତ୍ମକ ଶିକ୍ଷା ଏବଂ ସମସ୍ତଙ୍କ ପାଇଁ ଆଜୀବନ ସୁଯୋଗ ବିନା ଲିଙ୍ଗଗତ ସମାନତା ହାସଲ କରିବା ସଫଳ ହେବ ନାହିଁ ଏବଂ ଦାରିଦ୍ର୍ୟତା ଶେଷ ହେବ ନାହିଁ ବୋଲି ଏହି ଦିବସ ପାଳନ ଅବସରରେ ସଚେତନ କରାଯାଇଥାଏ।
ପୃଥିବୀର ୨୫୮ ନିୟୁତ ଶିଶୁ ଏବଂ ଯୁବକ ପାଠ ପଢ଼ିବା ଜାଣିନାହାନ୍ତି। ସେମାନଙ୍କ ଲାଗି ସ୍କୁଲ ଯିବା ସୁବିଧା ନାହିଁ। ସେହିପରି ୬୧୭ ନିୟୁତ ଶିଶୁ ଏବଂ କିଶୋର ପଢ଼ି ଜାଣନ୍ତି ନାହିଁ। ମୌଳିକ ଗଣିତ ସମ୍ପର୍କରେ ସେମାନେ କିଛି ବି ଜାଣିନାହାନ୍ତିି। ଆଫ୍ରିକାର ସାହାରା ଅଞ୍ଚଳରେ ୪୦ ପ୍ରତିଶତରୁ କମ୍‌ ବାଳିକା ନିମ୍ନ ମାଧ୍ୟମିକ ବିଦ୍ୟାଳୟରେ ପଢ଼ା ଶେଷ କରିଥାନ୍ତି ଏବଂ ପ୍ରାୟ ଚାରି ନିୟୁତ ଶିଶୁ ଏବଂ ଯୁବ ଶରଣାର୍ଥୀ ବିଦ୍ୟାଳୟକୁ ଯାଇନାହାନ୍ତି। ଏହାଦ୍ୱାରା ସେମାନଙ୍କର ଶିକ୍ଷା ଅଧିକାର ଉଲ୍ଲଂଘନ ହେଉଛି। ଏହା କେବେ ମଧ୍ୟ ଏକ ସୁସ୍ଥ ତଥା ବିକାଶଶୀଳ ସମାଜ ପାଇଁ ଗ୍ରହଣୀୟ ନୁହେଁ। ଏ ସମ୍ପର୍କରେ ଅନ୍ତର୍ଜାତୀୟ ଶିକ୍ଷା ଦିବସରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥାଏ।

Share