ଜଣେ ଶିକ୍ଷକରେ ଚାଲିଛି ୬୦ ସ୍କୁଲ: ଅଫିସ କାମରେ ଗଲେ ସ୍କୁଲ ବନ୍ଦ

ଭବାନୀପାଟଣା,୨୨ା୮(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ଶିକ୍ଷା ବିଭାଗର ବିଚିତ୍ର ନୀତି ଦେଖିବାକୁ ମିଳୁଛି। ଯେଉଁଠି ଦରକାର ଅଛି ସେଠି ଶିକ୍ଷକ ନିଯୁକ୍ତି କରାଯାଉ ନ ଥିବାବେଳେ ଆବଶ୍ୟକ ନ ଥିବା ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯାଉଥିବା ଅଭିଯୋଗ ଆସିଛି। ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ମାସ ସୁଦ୍ଧା ଜିଲାର ୬୦ ସ୍କୁଲ ଜଣେ ଶିକ୍ଷକରେ ଚାଲିଛି। ଜଣେ ଶିକ୍ଷକରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଚାଲିଛି। ପୁଣି ସେହି ଶିକ୍ଷକଙ୍କ କୌଣସି ଅଫିସ କାମ ହେଉ ବା ଦେହ ଖରାପ ହେଲେ ସ୍କୁଲରେ ତାଲା ପଡୁଛି।

ଜିଲାର ଅନ୍ତର୍ଲା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବାବେଳେ ଏଠାରେ ୫୬ ଜଣ ଛାତ୍ରୀଛାତ୍ର ପାଠ ପଢ଼ନ୍ତି। ଗତ ୩୧ ତାରିଖରେ ଜଣେ ଶିକ୍ଷୟିତ୍ରୀ ଅବସର ନେବା ପରେ ଏହି ସ୍କୁଲରେ ଜଣେ ଶିକ୍ଷକରେ ପାଠ ପଢା ଚାଲିଛି । ସେହିଭଳି କାନ୍ଦୁଲବନ୍ଦ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ବେଳେ ୧୬ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ସ୍ଥାୟୀ ଶିକ୍ଷକ ନ ଥିବାରୁ ଅନ୍ୟ ସ୍କୁଲରୁ ଡେପୁଟେଶନରେ ଆସି ପାଠ ପଢ଼ାଉଛନ୍ତି।

ଗତ ୧ ତାରିଖରେ ଏଠାରେ ଥିବା ଜଣେ ଶିକ୍ଷକ ସିଆର୍‌ସିସି ଦାୟିତ୍ୱ ନେବାରୁ ଜଣେ ଶିକ୍ଷକରେ ଚାଲିଛି ପାଠପଢ଼ା। ଜୁନାଗଡ଼ ଶିକ୍ଷା ବିଭାଗ ଅଧୀନରେ ପ୍ରାୟ ୨୦୦ଟି ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୬୧୫ ଜଣ ଶିକ୍ଷକ ଅଛନ୍ତି। ବର୍ତ୍ତମାନ ଆଉ ୧୧୩ ଶିକ୍ଷକ ଦରକାର ଥିବା ନେଇ ଜିଲା ଶିକ୍ଷା ବିଭାଗକୁ ଜଣାଯାଇଛି। କେବଳ ଜୁନାଗଡ଼ ନୁହେଁ ଜିଲାର ଭବାନୀପାଟଣା, କେସିଙ୍ଗା, କୋକସରା, ଜୟପାଟଣା, ଗୋଲାମୁଣ୍ଡା, ଏମ୍‌ ରାମପୁର, କର୍ଲାମୁଣ୍ଡା, ନର୍ଲା, ଲାଞ୍ଜିଗଡ଼ ଓ କଲମପୁର ଆଦି ବ୍ଲକର ଅନେକ ସ୍କୁଲ ଜଣେ ଶିକ୍ଷକରେ ଚାଲିଛି। ଏପରି କି ୭୦ରୁ ଶହେ ଭିତରେ ଛାତ୍ରୀଛାତ୍ର ରହିଥିବା ସ୍କୁଲରେ ମଧ୍ୟ ଜଣେ ଲେଖାଏ ଶିକ୍ଷକ ରହିଛନ୍ତି। ଫଳରେ ସେଠାରେ ଶିକ୍ଷାଦାନ କେମିତି ହେଉଥିବ ତାହା ସହଜେ ଅନୁମେୟ। ବିଭିନ୍ନ ସ୍କୁଲରେ ନିଯୁକ୍ତି ଥିବା ଶିକ୍ଷକ ଅବସର ନେଲା ପରେ ଏହି ସମସ୍ୟା ଦେଖାଦେଉଛି। ଏହା ଭିତରେ ନୂତନ ୮୧୧ ଜଣ ଶିକ୍ଷକ ନିଯୁକ୍ତି ହେବା ସହ ଯେଉଁ ସ୍କୁଲରେ ଜଣେ ଶିକ୍ଷକ ଅଛନ୍ତି ସେଠାରେ ନୂତନ ଶିକ୍ଷକଙ୍କୁ ନିଯୁକ୍ତ ଦିଆଯିବ ବୋଲି ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

Share