ଶିକ୍ଷା, ଶିକ୍ଷକ ଓ ଶିକ୍ଷାର୍ଥୀ

ଅଜ୍ଞାନତାର ଅମା ଅନ୍ଧାରକୁ ବଧ କରି ଯାହା ମାଧ୍ୟମରେ ସମାଜରେ ଜ୍ଞାନର ଆଲୋକ ବିଚ୍ଛୁରିତ ହୁଏ, ତାହା ହେଉଛି ଶିକ୍ଷା। ଏହି ଶିକ୍ଷା ପଦ୍ଧତିକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ଅବଦାନ ମଧ୍ୟ ଅତ୍ୟନ୍ତ ଜରୁରୀ। ତିନିହେଁ ପରସ୍ପରର ପରିପୂରକ। ଗୋଟିଏ ବିନା ଅନ୍ୟଟି ଅସମ୍ପୂର୍ଣ୍ଣ ରହିଯାଏ। ପ୍ରକୃତ ଶିକ୍ଷା ମନୁଷ୍ୟକୁ ଜ୍ଞାନର ସର୍ବୋଚ୍ଚ ଶିଖରରେ ପହଞ୍ଚାଇଥାଏ। ବୈଷୟିକ ଶିକ୍ଷା ହେଉ ଅବା ନୈତିକ ଶିକ୍ଷା, ଉଭୟକୁ ସକାରାମତ୍କ ଭାବେ ଗ୍ରହଣ କଲେ ବିଦ୍ୟାର୍ଥୀ ଜୀବନରେ ଉନ୍ନତି କରିଥାଆନ୍ତି। ଏହି ଶିକ୍ଷାକୁ ଉଚିତ ମାର୍ଗରେ ଶିକ୍ଷାର୍ଥୀଙ୍କ ନିକଟରେ ଉପସ୍ଥାପନା କରିବା ଦାୟିତ୍ୱ ଗୁରୁଙ୍କର। ତେଣୁ ଶିକ୍ଷକଙ୍କ ଉପରେ ନ୍ୟସ୍ତ ଥାଏ ଶୃଙ୍ଖଳିତ ଓ ସଫଳ ଛାତ୍ର ଗଠନର ଦାୟିତ୍ୱ। ଶିକ୍ଷକଙ୍କ କର୍ତ୍ତବ୍ୟ ସେମାନେ ଛାତ୍ରୀଛାତ୍ରମାନଙ୍କୁ ବୌଦ୍ଧିକ, ସାମାଜିକ, ଶାରୀରିକ, ଭାବନାମତ୍କ ଓ ନୈତିକ ଭାବରେ ବିକଶିତ କରିବାରେ ସହାୟକ ହେବା। ଭାରତରେ ଗୁରୁ-ଶିକ୍ଷ୍ୟର ପରମ୍ପରା ଆବାହମାନ କାଳରୁ ଚାଲିଆସିଛି। ଗୁରୁମାନଙ୍କ ଜୀବନ ସର୍ବଦା ସମର୍ପିତ ହୋଇଥାଏ ଶିଷ୍ୟ ତଥା ସମାଜର ଉନ୍ନତି ନିମନ୍ତେ। ଏହାଦ୍ୱାରା ସମାଜକୁ ସେମାନେ ସଚେତନପୂର୍ଣ୍ଣ ନାଗରିକ ଦେଇପାରିବେ। ଅତୀତରେ ଆମ ସଂସ୍କୃତିରେ ଗୁରୁ-ଶିଷ୍ୟର ସମ୍ପର୍କ ବହୁ ମହତ୍ତ୍ୱପୂର୍ଣ୍ଣ ଓ ମର୍ଯ୍ୟାଦାପୂର୍ଣ୍ଣ ଥିଲା। ବିଭିନ୍ନ ଉପାୟରେ ସେମାନେ ବିଦ୍ୟାର୍ଥୀଙ୍କୁ ସଫଳ କରିବାକୁ ପ୍ରଚେଷ୍ଟା କରୁଥିଲେ। ବୃତ୍ତିଗତ ଓ ନୈତିକ ଉଭୟ ବିଦ୍ୟାରେ ପାରଙ୍ଗମ କରୁଥିଲେ। ସମୟ ପରିବର୍ତ୍ତନ ହେବା ସହ ବଦଳି ଯାଇଛି ଶିକ୍ଷା ବ୍ୟବସ୍ଥା ଓ ଗୁରୁ-ଶିଷ୍ୟଙ୍କ ସମ୍ପର୍କ। ଶିକ୍ଷକଙ୍କ ସଂଜ୍ଞା ବଦଳି ଯାଇଛି ସମ୍ପୂର୍ଣ୍ଣ ରୂପେ। ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି କେବଳ ଅର୍ଥ ଉପାର୍ଜନ ନିମନ୍ତେ। ବିଦ୍ୟାର୍ଥୀଙ୍କୁ ଅନୁଚିତ ରାସ୍ତାରେ ଯାଉଥିବା ଦେଖି ଆକଟ ମଧ୍ୟ କରୁନାହାନ୍ତି। ସେଥିପାଇଁ ଅନେକ ପିଲା ଏବେ ଅବାଟରେ ଗତି କରୁଛନ୍ତି। ଅନେକ ଶିକ୍ଷକ ତ ଏବେ ବିଭିନ୍ନ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛନ୍ତି। କେବେ ମଦ୍ୟପାନ କରି ବିଦ୍ୟାଳୟ ପରି ପବିତ୍ର ସ୍ଥାନକୁ ଆସୁଛନ୍ତି ତ ପୁଣି କେବେ ଛାତ୍ରୀଛାତ୍ରଙ୍କ ପ୍ରତି ଅସଦାଚରଣ କରୁଛନ୍ତି। ପ୍ରତ୍ୟେହ ଏପରି ଶିକ୍ଷକଙ୍କ କୁକର୍ମ ପଦାରେ ପଡ଼ୁଛି। ଏହାଦ୍ୱାରା ଗୁରୁମାନଙ୍କ ଉପରୁ ବିଶ୍ୱାସ ତୁଟିଯାଉଛି ଅଭିଭାବକ ତଥା ଶିଷ୍ୟମାନଙ୍କର।
ଶିକ୍ଷା ବ୍ୟବସ୍ଥାରେ ଶିକ୍ଷାର୍ଥୀ ମୁଖ୍ୟ ମାନଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଦ୍ୟାର୍ଥୀଟିର ପ୍ରଥମ କର୍ତ୍ତବ୍ୟ ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ଦେଇ ସେମାନଙ୍କ ଦ୍ୱାରା ଦିଆଯାଉଥିବା ପ୍ରତ୍ୟେକଟି ଶିକ୍ଷାକୁ ଧ୍ୟାନପୂର୍ବକ ଶୁଣିବା ଏବଂ ତାହାକୁ କାର୍ଯ୍ୟରେ ପରିଣତ କରିବାକୁ ମଧ୍ୟ ପ୍ରଚେଷ୍ଟା କରିବା। ତେବେ ଯାଇ ବିଦ୍ୟାର୍ଥୀ ସୁନାଗରିକ ହୋଇପାରିବ। କିନ୍ତୁ ପରିତାପର ବିଷୟ, ବର୍ତ୍ତମାନ ଛାତ୍ରସମାଜ ସମ୍ପୂର୍ଣ୍ଣ ବିପରୀତଗାମୀ ହୋଇଯାଇଛି କହିଲେ ଭୁଲ୍‌ ହେବ ନାହିଁ। ସେମାନେ ଶିକ୍ଷାନୁଷ୍ଠାନକୁ କେବଳ କେଇ ଘଣ୍ଟାର ମନୋରଞ୍ଜନ ସ୍ଥଳ ଭାବୁଛନ୍ତି। ଗୁରୁଙ୍କୁ ଅସମ୍ମାନ, ସହପାଠୀ ତଥା ଅନ୍ୟ ବିଦ୍ୟାର୍ଥୀଙ୍କ ପ୍ରତି ଅଶାଳୀନ ବ୍ୟବହାର ଏବଂ ଚିନ୍ତନ ସେମାନଙ୍କୁ ଅନୁଚିତ ମାର୍ଗରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ସାହାଯ୍ୟ କରୁଛି। ଏଥିପାଇଁ ବିଦ୍ୟାଳୟକୁ ‘ଦଣ୍ଡମୁକ୍ତ ଅଞ୍ଚଳ’ କରାଯିବା ଅଧିକନ୍ତୁ ଦାୟୀ। ତତ୍‌ସହ ପ୍ରଯୁକ୍ତି ବିଜ୍ଞାନର ଅପପ୍ରୟୋଗ ଛାତ୍ରସମାଜକୁ ବିଶୃଙ୍ଖଳିତ କରୁଛି। କୁହାଯାଏ ଭୟରୁ ଭକ୍ତି ଜାତହୁଏ। ଭୟ ଓ ଭକ୍ତିର ସମ୍ମିଶ୍ରଣରେ ଛାତ୍ରୀଛାତ୍ରଙ୍କ ଜୀବନ ଶୃଙ୍ଖଳିତ ହୋଇଥାଏ। ଅନେକ ତରୁଣ ଛାତ୍ରୀଛାତ୍ର ଭୟହୀନ ହୋଇ ବିଭିନ୍ନ ଆପରାଧିକ କାର୍ଯ୍ୟ କରୁଛନ୍ତି।
କିଛି ଦିନ ପୂର୍ବରୁ ପଡ଼ୋଶୀଙ୍କ ପୁଅ ବାହାରେ ଖେଳୁଥିବାର ଦେଖି ପଚାରିଲି, ଆଜି ବିଦ୍ୟାଳୟ ଯାଇନାହଁ କି? ପିଲାଟି ଉତ୍ତର ଦେଲା, ‘ନାଇଁ, ମୋତେ ସାତଦିନ ପାଇଁ ନିଲମ୍ବନ କରାଯାଇଛି’। ମୋତେ ଟିକେ ଅଲଗା ଲାଗିବାରୁ ତାଙ୍କ ମାଆଙ୍କୁ ପଚାରିଲି ଘଟଣା ବିଷୟରେ। ସେ କହିଲେ ଯେ, ତାଙ୍କ ପୁଅ ତୃତୀୟ ଶ୍ରେଣୀର ଛାତ୍ର, ଭଲ ପାଠ ପଢ଼ୁଛି। ହେଲେ ସେ ଟିକେ ଅସ୍ଥିର। ଶ୍ରେଣୀଗୃହରେ ସ୍ଥିର ହୋଇ ବସି ପାରୁନାହିଁ। ଶୀଘ୍ର ପାଠସାରି ପିଲାମାନଙ୍କ ସହ ଗପୁଛି। ଯଦ୍ଦ୍ବାରା ଅନ୍ୟ ପିଲାମାନେ ପାଠପଢ଼ା ଛାଡ଼ି ତା’ ସହିତ କଥାରେ ମଜ୍ଜି ଯାଉଛନ୍ତି। ଶିକ୍ଷକମାନଙ୍କ କହିବାନୁସାରେ ପିଲାଟି ସମସ୍ତ ପ୍ରତିଭାର ଅଧିକାରୀ। ଗୀତ, ନାଚ, ପାଠ, ଅଭିନୟ ଏବଂ ମଞ୍ଚ ଉପରେ ବକ୍ତୃତା ଆଦି ଦେବାରେ ପାରଙ୍ଗମ। ଏଥିସହିତ ଖୁବ୍‌ ଜିଦ୍‌ଖୋର ମଧ୍ୟ। ଯେଉଁ କାମ କରିବାକୁ ଇଚ୍ଛା କରିଥିବ, ତାକୁ ଯେମିତିବି ହେଉ କରି ଦେଖାଇବ। ସେତେବେଳେ ଶିକ୍ଷକଙ୍କ କଥା ମଧ୍ୟ ଶୁଣି ନଥାଏ। ଅବଶ୍ୟ ସେ ଖରାପ କାମ କେବେ କରିବାକୁ ଜିଦ୍‌ ଧରି ନଥାଏ। ତଥାପି ଏହାର ଅଯଥା ଗପିବା ଗୁଣ ଓ ଜିଦ୍‌ ସ୍ବଭାବ ଅନ୍ୟ ପିଲାଙ୍କୁ ବିଶୃଙ୍ଖଳିତ କରୁଛି ଏବଂ ଶିକ୍ଷକମାନେ ମଧ୍ୟ କେବଳ ଆକଟ କରିବେ, ମାରି ପାରିବେ ନାହିଁ। ତେଣୁ ସେମାନେ ତାକୁ ନିଲମ୍ବିତ କରିଛିନ୍ତି, ଯଦ୍ଦ୍ବାରା ତା’ର ଏହି କୁଅଭ୍ୟାସକୁ ବଦଳା ଯାଇପାରିବ। ହେଲେ ଦୁଃଖର କଥା, ସେ ନିଲମ୍ବନ କ’ଣ ବୁଝିନାହିଁ। କାହିଁକି ସ୍କୁଲ୍‌ ଯିବି ନାହିଁ ବୋଲି ଜିଦ୍‌ ଧରୁଛି। ଯେତେ ବୁଝାଇଲେ ବି ସେ କହୁଛି ମୁଁ ତ ପାଠସବୁ କରିଦେଉଛି, କାହିଁକି ଯିବି ନାହିଁ। କ’ଣ କରିବି କିଛି ବୁଝିପାରୁ ନାହିଁ। ଏତିକି କହି ମା’ ଜଣଙ୍କ ମନଦୁଃଖ କଲେ।
ପ୍ରକୃତରେ ଉପରୋକ୍ତ ଦୃଷ୍ଟାନ୍ତରେ କାହାର ଭୁଲ୍‌ ବୋଲି ପ୍ରଶ୍ନଟିଏ ଉଙ୍କିମାରୁଛି। ପିଲାଟି ଯଦି ସମସ୍ତ କ୍ଷେତ୍ରରେ ପାରଙ୍ଗମ, ତେବେ ତା’ର ଏହି ଅଳ୍ପ କୁଅଭ୍ୟାସକୁ କ’ଣ ଶିକ୍ଷକଙ୍କ ଦ୍ୱାରା ବଦଳା ଯାଇ ପାରିନଥା’ନ୍ତା? ଏହା ମଧ୍ୟ ସତ ଯେ, ଜଣଙ୍କ ଦ୍ୱାରା ପୂରା ଶ୍ରେଣୀର ଛାତ୍ରୀଛାତ୍ର ବିଶୃଙ୍ଖଳିତ ହୋଇପଡ଼ୁଛନ୍ତି। ତେବେ ଏଥିରୁ ଅନୁମେୟ ଯେ, ଶିକ୍ଷା ବ୍ୟବସ୍ଥାରେ ଦଣ୍ଡ ଉଠିଯିବା ପରେ ଶିକ୍ଷକ ଅକ୍ଷମ ହୋଇ ପଡ଼ିଛନ୍ତି ବିଦ୍ୟାର୍ଥୀଙ୍କୁ ଶାସନ କରିବାରେ ଏବଂ ଭୟହୀନ ହୋଇ ଛାତ୍ରୀଛାତ୍ର ମୁଖ୍ୟସ୍ରୋତରୁ ବିଚ୍ୟୁତ ହେଉଛନ୍ତି। ଶିକ୍ଷା, ଶିକ୍ଷକ ଓ ଶିକ୍ଷାର୍ଥୀ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏମାନଙ୍କର ସାମାନ୍ୟତମ ତ୍ରୁଟି ସମାଜରେ ଅସ୍ଥିରତା ସୃଷ୍ଟି କରିବ। ତେଣୁ ଶିକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ସହ ଶିକ୍ଷକ ଓ ଶିକ୍ଷାର୍ଥୀମାନେ ମଧ୍ୟ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ତୁଲାଇବା ଉଚିତ।

  • ଉତ୍କଳିକା ଦାଶ
    ଠାକୁରପାଟଣା, ଆଳି, କେନ୍ଦ୍ରାପଡ଼ା
    ମୋ: ୭୦୦୮୫୫୯୬୯୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri