ମୋହନ ମାଝୀଙ୍କ ମନ୍ତ୍ରୀମାନେ କେତେ ପାଠ ପଢିଛନ୍ତି?

ଭୁବନେଶ୍ୱର,୧୨।୬: ରାଜ୍ୟରେ ଆଜିଠୁ ଭାଜପା ସରକାରଙ୍କ ଯୁଗ ଆରମ୍ଭ ହୋଇଛି । ଜନତା ମଇଦାନରେ ଆୟୋଜିତ ଶପଥ ସମାରୋହରେ ଭାଜପା ବିଧାୟକ ଦଳ ନେତା ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତାଙ୍କ ସହ ୨ଜଣ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା, ୮ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି । ତେବେ ମନ୍ତ୍ରିମଣ୍ଡଳରେ ମୋଟ ୧୨ଟି ଜିଲାକୁ ପ୍ରତିନିଧିତ୍ୱ ମିଳିଥିବାବେଳେ ପ୍ରଥମଥର ଜିତିଥିବା ୭ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି । ଏକମାତ୍ର ମହିଳା ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତିଙ୍କୁ ମିଶାଇଲେ ପ୍ରଥମ ଥର ଜିତି ମନ୍ତ୍ରୀ ହୋଇଥିବା ବିଧାୟକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

ମୋହନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ସମସ୍ତ ମନ୍ତ୍ରୀଙ୍କ ହାରାହାରି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଡିଗ୍ରୀ । ଆଉ ସବୁଠୁ କମ ବୟସର ମନ୍ତ୍ରୀ ଭାବେ ସୂର୍ଯ୍ୟବଂଶୀ ସୂରଜ ଓ ବୟୋଜ୍ୟେଷ୍ଠ ମନ୍ତ୍ରୀ ଭାବେ କେଭି ସିଂହଦେଓ ରହିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝି କଳାରେ ସ୍ନାତକ କରିବା ସହ ଆଇନରେ ଡିଗ୍ରୀ ହାସଲ କରିଛନ୍ତି।
ସେହିପରି ପ୍ରଥମ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଦିଲ୍ଲୀ ୟୁନିଭରସିଟିରେ କଳାରେ ସ୍ନାତକ କରିଛନ୍ତି। ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଆଇନରେ ଡିଗ୍ରୀ ହାସଲ କରିବା ସହ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଅଛନ୍ତି। ଏଥିସହ ପ୍ରଶାସନିକ ସେବାରେ ମାଷ୍ଟର ଡିଗ୍ରୀ କରିଛନ୍ତି।

ଏହିକ୍ରମରେ କ୍ୟାବିନେଟ ମନ୍ତ୍ରୀ ସୁରେଶ ପୁଜାରୀ ଭୌତିକ ବିଜ୍ଞାନରେ ମାଷ୍ଟର କରିବା ସହ ଏଲଏଲବି ଓ Labour Law and Personnel Management ରେ ପିଜି ଡିପ୍ଲୋମା କରିଛନ୍ତି। ମନ୍ତ୍ରୀ ରବି ନାରାୟଣ ନାୟକ କେବଳ ଦ୍ୱାଦଶ ପାସ୍‌ କରିଛନ୍ତି। ନିତ୍ୟାନନ୍ଦ ଗଣ୍ଡ ଇତିହାସରେ ସ୍ନାତକୋତ୍ତର କରିବା ସହ ଲ’ କରିଛନ୍ତି। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ନାତକୋତ୍ତର ଯାଏ ପଢିଛନ୍ତି। ମନ୍ତ୍ରୀ ପୃଥିୀରାଜ ହରିଚନ୍ଦନ ପ୍ରାଣୀ ବିଜ୍ଞାନରେ ମାଷ୍ଟର କରିଛନ୍ତି। ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦର୍ଶନରେ ଡିଗ୍ରୀ କରିବା ସହ ପ୍ରାଣୀ ବିଜ୍ଞାନରେ ପିଏଚଡି କରିଛନ୍ତି। ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଜ୍ଞାନରେ ବ୍ୟାଚଲର କରିଛନ୍ତି। ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଆୟୁର୍ବେଦିକ ମେଡିଶିନ ଓ ସର୍ଜରୀରେ ବ୍ୟାଚଲର କରିଛନ୍ତି।

ରାଷ୍ଟ୍ରମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଛନ୍ତି। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବି.ଟେକ୍‌ କରିବା ସହ ଏଲଏଲବି କରିଛନ୍ତି। ଗୋକୁଳା ନନ୍ଦ ମଲ୍ଲିକ ସ୍ନାତକ କରିଛନ୍ତି। ସମ୍ପଦ ଚନ୍ଦ୍ର ସ୍ବାଇଁ ଏମବିଏ କରିଛନ୍ତି। ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଦର୍ଶନରେ ଡିଗ୍ରୀ କରିଛନ୍ତି।

Share