୨୦୨୩ ଡିସେମ୍ବରରେ ଏଡୁଫେଷ୍ଟ

ଭୁବନେଶ୍ୱର, ୨୧ା୧୨ (ବ୍ୟୁରୋ): ଆସନ୍ତା ୨୦୨୩ ଡିସେମ୍ବରରେ ଏଡୁଫେଷ୍ଟ ଆୟୋଜିତ ହେବ। ଡିସେମ୍ବର ୧ରୁ ୩ ଯାଏ ଭୁବନେଶ୍ୱରରେ ଏହା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏଥିରେ କନ୍‌ଫରେନ୍ସ, ଏଗ୍‌ଜିବିଶନ୍‌ ଓ ଇଭେଣ୍ଟସ କର୍ନର ହେବ। ସେଥିରେ ପ୍ରାଥମିକ ଶିକ୍ଷା, ଉଚ୍ଚଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଶିକ୍ଷା ସମ୍ପୃକ୍ତ ରହିବ। ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ବିଭିନ୍ନ ବିଭାଗ ସହ ଏ ନେଇ ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି।
୫୦ ଦେଶର ଶିକ୍ଷାମନ୍ତ୍ରୀ ଏହି ମେଗା ଇଭେଣ୍ଟରେ ଯୋଗଦେବେ। ସେମାନେ ସେମାନଙ୍କ ଦେଶର ଶିକ୍ଷା କଥା କହିବା ସହ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବେ। ଏଥିସହିତ ଅନ୍ୟ ରାଜ୍ୟର ଶିକ୍ଷାମନ୍ତ୍ରୀମାନେ ମଧ୍ୟ ଏଡୁଫେଷ୍ଟରେ ଯୋଗଦେବେ। ଓଡ଼ିଶାରେ ଶିକ୍ଷାକ୍ଷେତ୍ରରେ ଅନେକ ନୂଆ ସଂସ୍କାର ହୋଇଛି। ହାଇସ୍କୁଲ ୫-ଟି ରୂପାନ୍ତର, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ, ମୋ କଲେଜ ଅଭିଯାନ ଇତ୍ୟାଦିକୁ ଫୋକସ୍‌ କରାଯିବ। ଏଥିରେ ୧ ହଜାର କୋଟି ପୁଞ୍ଜି ନିବେଶ ଆଶା କରାଯାଉଛି। ଅଭିଭାବକ ଓ ଶିକ୍ଷକ ମଧ୍ୟ ନିଜର ପରାମର୍ଶ ଦେଇପାରିବେ। ଶିକ୍ଷା କରିଡର ସୃଷ୍ଟି କରିହେବ। ସ୍ବତନ୍ତ୍ର ଶିକ୍ଷା ପାଇଁ ଗ୍ଲୋବାଲ ଷ୍ଟାଣ୍ଡାର୍ଡ କ’ଣ ହୋଇପାରିବ ମୁଖ୍ୟ ଶାସନ ସଚିବ ସେ ଦିଗରେ କାମ କରୁଛନ୍ତି। ବଡ଼ ନିବେଶ ଟାର୍ଗେଟ୍‌ ଥିବାରୁ ନୂଆ ନୂଆ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଯୋଗଦେବା ଲାଗି ସ୍ବାଗତ କରାଯାଉଛି। ଏଥିରେ ବ୍ଲକ ଚେନ୍‌ ଟେକ୍ନୋଲୋଜି, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ ପରି ନୂଆ ନୂଆ କ୍ଷେତ୍ର ଆସିବ।

Share