Categories: ବାଣିଜ୍ୟ

ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୮।୨: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି) ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଅଜୟ କୁମାର ଶ୍ରୀବାସ୍ତବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲାବେଳେ ଓଜିବିର ଅଧ୍ୟକ୍ଷ ଋଷି ସିଂହଙ୍କ ସମେତ ବ୍ୟାଙ୍କର ସମସ୍ତ କାର୍ଯ୍ୟକର୍ତ୍ତା ସାମିଲଥିଲେ। ଏହି ଅବସରରେ ଶ୍ରୀବାସ୍ତବ ଓଜିବିର ଦକ୍ଷତା ବିକାଶ କେନ୍ଦ୍ର, ପ୍ରଥମ ପ୍ରଶିକ୍ଷଣ ବର୍ଷର ସୂଚୀ ଉନ୍ମୋଚନ ସହିତ ବ୍ୟାଙ୍କର ଦ୍ୱିସ୍ତରୀୟ ବାୟୋମେଟ୍ରିକ୍‌ ପ୍ରମାଣୀକରତାର ମଧ୍ୟ ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀବାସ୍ତବ କହିଥିଲେ ବ୍ୟାଙ୍କର ବ୍ୟବସାୟକୁ ଆଗକୁ ବଢ଼ାଇବା ସହିତ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ସେ ସବୁବର୍ଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏପରିକି ବୈଷୟିକ ଜ୍ଞାନକୌଶଳର ଉନ୍ନତୀକରଣ ଉପରେ ଅଜୟ ଜୋର ଦେବା ସହ ପ୍ରାୟୋଜକ ବ୍ୟାଙ୍କଗୁଡିକ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରିବା ପାଇଁ ଗ୍ରାହକଙ୍କୁ ଆଶ୍ୱସ୍ତ କରାଇଥିଲେ। ଅପରପକ୍ଷରେ ବ୍ୟାଙ୍କ ବିଭିନ୍ନ ସରକାରୀ ଯୋଜନା ଯଥା ପିଏମ୍‌ ସ୍ବନିଧି, ପିଏମ୍‌ ବିଶ୍ୱକର୍ମା, ମୁଦ୍ରା ଯୋଜନାରେ ଋଣ ପ୍ରଦାନ କରିବା ସହିତ ନୂତନ ସଞ୍ଚୟ ଖାତା ଖୋଲିବା ସହ ଜନଧନ, ପିଏମ୍‌ ଏସ୍‌ବିୱାଇ, ପିଏମ୍‌ ଜେଜେବିୱାଇ ଏବଂ ଅଟଳ ପେନ୍‌ସନ ଆଦି ଯୋଜନାରେ ସମସ୍ତ ଓଡ଼ିଶାବାସୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଅଜୟ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ସେହିପରି ରାଜ୍ୟରେ ଓଜିବି ଅର୍ଜନ କରିଥିବା ସୁନାମ ପାଇଁ ସେ ପ୍ରଶଂସା ମଧ୍ୟ କରିଥିଲେ। ଉଲ୍ଲେଖଯୋଗ୍ୟ, ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ (ଓଜିବିର ପ୍ରାୟୋଜକ ବ୍ୟାଙ୍କ)ର ଏମ୍‌ଡି ତଥା ସିଇଓ ଅଜୟ କୁମାର ଶ୍ରୀବାସ୍ତବ ନିକଟରେ ଓଡ଼ିଶା ଆସିଥିଲେ। ଏହି ଗସ୍ତସୂଚୀ ଅନୁଯାୟୀ ସେ ଭୁବନେଶ୍ୱରର ଗଣ୍ଡମୁଣ୍ଡାସ୍ଥିତ ଓଜିବିର ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।

 

Share