‘ଅଭିଯୁକ୍ତଙ୍କୁ ଖସାଇବାକୁ ଚାଲିଛି ଉଦ୍ୟମ’

ଖଇରା, ୨୫।୭(ଡି.ଏନ.ଏ.): ସମୟ ଯେତେ ଗଡୁଛି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଉପରୁ ପରଦା ହଟିବା ଆଶା କ୍ଷୀଣ ହେବାରେ ଲାଗିଛି। ବିଶେଷ କରି ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ସିଡିଆର ଯାଞ୍ଚ ପରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କର ବିଦ୍ୟାଭାରତୀଙ୍କ ସହ କୌଣସି ସମ୍ପର୍କ ନ ଥିବା କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିବା ପରେ ସୌମ୍ୟଙ୍କ ପରିବାର ପକ୍ଷରୁ ପୋଲିସ ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରାଯାଇଛି। ବାପା ଅଭିରାମ ମହାପାତ୍ରଙ୍କ କହିବା ଅନୁଯାୟୀ ଘଟଣାର ୧୧ଦିନ ପରେ ପୋଲିସ ଡିଏଫ୍‌ଓଙ୍କୁ ଜେରା କରିଥିଲା। ଏତଲାରେ ସେ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ତାଙ୍କୁ ପ୍ରମାଣ ନଷ୍ଟ କରିବାକୁ ସମୟ ଦିଆଗଲା । ସେହିଭଳି ପୁଣି ଥରେ ବିଦ୍ୟାଭାରତୀଙ୍କୁ ପଚରାଉଚୁରା ପାଇଁ ତାଙ୍କ ଘର କପ୍ତିପଦା ଗୌଡଗାଁକୁ ଆସୁଥିବା କୁହାଯାଉଛି। ତାଙ୍କୁ ଖଲାସ ପାଇଁ ମଧ୍ୟ ଷଡଯନ୍ତ୍ର କରାଯାଉଛି। ଏହାଛଡା ଆମ୍ବଲାନ୍ସ ଅଟକାଇଥିବା ଗୁରାଣ୍ଡି ଓଆଇସି ମମତା ପଣ୍ଡା, ରୋଷେୟା ମନ୍ମଥ କମ୍ବୁଙ୍କୁ ମଧ୍ୟ ଠିକ୍‌ ଭାବେ ଜେରା କରାଗଲା ନାହିଁ । ସମସ୍ତ ଘଟଣାକୁ ଦେଖିଲେ ଅଭିଯୁକ୍ତଙ୍କୁ ଖସାଇବାକୁ ପୋଲିସ ସେମାନଙ୍କ ହାତ ମିଳାଇଥିବା ନେଇ ସେ ସିଧାସଳଖ ଅଭିଯୋଗ ଆଣିଛନ୍ତି । ଏମିତିକି କେତେଶୀଘ୍ର ବିଦ୍ୟାଭାରତୀଙ୍କୁ ଫ୍ୟାମିଲି ପେନସନ ମିଳିପାରିବ ତାର ବ୍ୟବସ୍ଥା ପୋଲିସ କରୁ ବୋଲି ସେ ଆରୋପ ଲଗାଇଛନ୍ତି। ଯଦି ନ୍ୟାୟ ନ ମିଳେ ତେବେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବେ ବୋଲି ସେ କହିଛନ୍ତି ।

Share