Advertisement
Categories: ଜାତୀୟ

ଦେଶରେ କଳା ଯାଦୁ ବିସ୍ତାର ପାଇଁ ଚାଲିଛି ପ୍ରୟାସ:ମୋଦି

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ହରିୟାଣାର ପାନିପତ ଠାରେ ୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦ୍ୱିତୀୟ ପିଢି ଇଥାନଲ କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆମ ଦେଶରେ କିଛି ଲୋକ ନକାରାତ୍ମକତାର ଘୂର୍ଣ୍ଣିବଳୟରେ ଫସି ରହି ନିରାଶାରେ ବୁଡି ରହିଛନ୍ତି। ସରକାରଙ୍କ ବିରୋଧରେ ମିଥ୍ୟା ପ୍ରଚାର କରିବା ସତ୍ତ୍ୱେ ଜନତା ସେମାନଙ୍କ ଉପରେ ଆଉ ବିଶ୍ୱାସ କରିବାକୁ ପ୍ରସ୍ତୁତ ନାହାନ୍ତି। ହତାଶାରେ ଏଭଳି ଲୋକମାନେ ବର୍ତ୍ତମାନ କଳା ଯାଦୁ ଆଡକୁ ମୁହାଁଇଥିବାର ମଧ୍ୟ ନଜର ଆସିଛନ୍ତି। ଅଗଷ୍ଟ ୫ରେ ଆମେ ଦେଖିଛୁ କିପରି କଳା ଯାଦୁ ବିସ୍ତାର କରିବାର ପ୍ରୟାସ କରାଯାଇଥିଲା। ଏମାନେ ଭାବନ୍ତି, କଳା ପୋଷାକ ପିନ୍ଧିଲେ ସେମାନଙ୍କର ନିରାଶାର ଅବଧି ଶେଷ ହେବ। କଳା ଯାଦୁ କିମ୍ବା ଅନ୍ଧବିଶ୍ୱାସ ବିଶ୍ୱାସ ଜରିଆରେ ଜନସାଧାରଣଙ୍କ ବିଶ୍ୱାସ ଆଉ ହାତେଇ ହେବ ନାହିଁ, ତାହା ସେମାନେ ଜାଣନ୍ତି ନାହିଁ।
ସୂଚନାଯୋଗ୍ୟ, ଅଗଷ୍ଟ ୫ରେ କଂଗ୍ରେସ ମୁଦ୍ରାସ୍ଫୀତି ବିରୋଧରେ ପ୍ରଦର୍ଶନ କରିଥିଲା। ଏହି ସମୟରେ କଂଗ୍ରେସ ନେତାମାନେ କଳା ପୋଷାକ ପିନ୍ଧିଥିଲେ। ଦିଲ୍ଲୀର ସଂସଦ ନିକଟରେ ବିରୋଧ କରୁଥିବା କଂଗ୍ରେସ ନେତାମାନଙ୍କୁ ପୋଲିସ ଗିରଫ କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share