Advertisement

ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ସହ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି । ଏଥିପାଇଁ ପ୍ରତିବର୍ଷ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପ୍ରୟାସ କରାଯାଉଛି । ଏଥିରେ ଛାତ୍ରୀଛାତ୍ରଙ୍କ ରଚନା ଲିଖନଠାରୁ ଆରମ୍ଭ କରି ଚିତ୍ରାଙ୍କନ, ଆର୍ଟ ଆଣ୍ଡ୍‌ କ୍ରାଫ୍ଟସ୍‌, ସଙ୍ଗୀତ, ନୃତ୍ୟ ମାଧ୍ୟମରେ ବିକାଶ କରାଯାଉଛି।

କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ‘ସୁରଭି’ରେ ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ, ବତ୍କୃତା, ଲିଖନ, କୁଇଜ, ଆର୍ଟ ଆଣ୍ଡ୍‌ କ୍ରାଫ୍ଟ ଆଦି ପ୍ରତିଯୋଗିତା ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀଛାତ୍ରଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥିଭାବେ ସିମନବାଡ଼ି ପଞ୍ଚାୟତ ସରପଞ୍ଚ ଅମିତା ପ୍ରଧାନ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ନୃତ୍ୟରେ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଏବଂ ତୃତୀୟ ସ୍ଥାନ ଅଧିଗ୍ରହଣ କରିଛନ୍ତି। ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଯେଉଁ ଦଳ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଛନ୍ତି, ସେହି ଛାତ୍ରୀଛାତ୍ରଙ୍କୁ ବ୍ଲକ ସ୍ତରୀୟ ସୁରଭି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ସିମନବାଡ଼ି ସିଆରସିସି ବନ୍ଧୁରଜ ଉଠାଣ ସିଂ କହିଛନ୍ତି। କାର୍ଯ୍ୟକ୍ରମରେ ସିମନବାଡ଼ି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର ପଟ୍ଟନାୟକଙ୍କ ସମେତ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦେଶୀ ନାୟକ, ସୁଜାମାଜୁର ଶ୍ରୀପତି ନାୟକ,ଲୋକନାଥ ମାଝୀ, ବିଶ୍ୱଜିତ ଚୌଧରୀ,ଆନନ୍ଦ ଦାସ, ଦେବାନନ୍ଦ ନାୟକ, ସନ୍ତୋଷ ବିସି ମାଝି, ନୀତେନ ପ୍ରଧାନ, ମୁରାରୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଥିବା କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share