ମାଲକାନଗିରିରେ ଗଡ଼ ସଜାଡ଼ିବାକୁ ପ୍ରୟାସ, ମାଓବାଦୀ କାର୍ଯ୍ୟକଳାପ ବଢ଼ୁଛି…

ମାଲକାନଗିରି,୮ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଭୁଶୁଡି ପଡିଥିବା ମାଓବାଦୀ ସଂଗଠନ ପୁନଃ ଗଡ ସଜାଡିବାକୁ ପ୍ରୟାସ କରିଛିନ୍ତି ମାଓବାଦୀ। ନିଜ ପୂର୍ବ ସ୍ଥିତି ଫେରିବା ପାଇଁ ସଙ୍ଗଠନର ଉଦ୍ୟମ କରୁଥିବା ବେଳେ ବିଗତ କିଛି ଦିନ ମଧ୍ୟରେ ଜିଲାରେ ମାଓବାଦୀ କାର୍ଯ୍ୟକଳାପ ବଢିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଜିଲା ସ୍ବାଭିମାନ ଅଞ୍ଚଳ ସମେତ ଆନ୍ଧ୍ର ଓ ଛତିଶଗଡକୁ ଲାଗି ଥିବା ଅନେକ ଗ୍ରାମରେ ସଙ୍ଗଠନର ଛୋଟ ଛୋଟ ଦଳ ଆସି ସ୍ଥିତି ପରଖିବା ନେଇ ପୂର୍ବରୁ ସୂଚନା ମିଳିଥିଲା। ବର୍ତ୍ତମାନ ସଙ୍ଗଠନ ନିଜର ସ୍ଥିତି ଜାହିର କରିବାକୁ ଯାଇ ଚିତ୍ରକୋଣ୍ଡା ବ୍ଲକ କାଲିମେଳା ଥାନା ଅନ୍ତର୍ଗତ ପପୁଲୁର ସମେତ ବିଭିନ୍ନ ସ୍ଥାନରେ ଆନ୍ଧ୍ର ଓଡିଶା ସୀମାନ୍ତ ସଙ୍ଗଠନ ସମ୍ପାଦକ ଗଣେଶଙ୍କ ପକ୍ଷରୁ ତେଲୁଗୁ ଏବଂ ଓଡ଼ିଆ ଭାଷାରେ ଲେଖା ଯାଇଥିବା ଅନେକ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା।

ତେବେ ଦୀର୍ଘ ଦିନ ପରେ ଜିଲାରେ ମାଓବାଦୀ ପୋଷ୍ଟର ଲାଗିବା, ସଙ୍ଗଠନ ସ୍ଥିତିକୁ ଦର୍ଶାଉ ଥିବା ବେଳେ ଆଗକୁ ନିର୍ବାଚନ ସମୟ ଆସୁଥିବାରୁ ଏହାକୁ ନେଇ ବଢିଛି ଚିନ୍ତା। ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଇ ଦିଆଯାଇଥିବା ବେଳେ ବଳ ଗୋଟାଇବା ପ୍ରୟାସରେ ଥିବା ମାଓ ସଙ୍ଗଠନ କାଲିମେଳା ଅଞ୍ଚଳରେ ଲୁଚାଇ ରଖିଥିବା ସହ ସହ ବୋମା, ଗ୍ରେନେଡ୍‌, ଜିଲୋଟିନୀ ଷ୍ଟିକ ଭଳି ଅନେକ ଅସ୍ତ୍ର ଶସ୍ତ୍ର ଓ ସାମଗ୍ରୀକୁ ଜବତ କରିଛି ଜିଲା ପୋଲିସ ଓ ସୁରକ୍ଷା କର୍ମୀ। ତେବେ ଏଥିରୁ ଗୋଟିଏ କଥା କିନ୍ତୁ ସ୍ପଷ୍ଟ ହୋଇଛି, ଜିଲାରେ ମାଓବାଦୀମାନେ ପୁଣି ଏନ୍‌ଜେଆର ଗଡ ସଜାଡିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଗତ କିଛିଦିନ ପୂର୍ବରୁ ପପୁଲୁର ଅଞ୍ଚଳରେ ଛତିଶଗଡର ଏକ ଛୋଟ ମାଓବାଦୀ ଦଳ ଯାଇ ସେଠାକାର ସ୍ଥିତି ପରଖିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ମାଓବାଦୀ ସଙ୍ଗଠନ ସକ୍ରିୟ ହେଉଥିବା ସହ ଜିଲାର କେତେକ ସ୍ଥାନରେ ଯେଉଁଠି ମାଓବାଦୀ ସଂଗଠନ ଦୀର୍ଘ ୮ ବର୍ଷ ଧରି ଭୁଶୁଡି ପଡିଥିଲା, ସେଠାରେ ଛୋଟ ଛୋଟ ଟିମ୍‌ ଆସି ସ୍ଥିତି ପରଖୁଥିବା ନେଇ ସୂଚନା ମିଳିଛି ।

ବିଶେଷ କରି ଆନ୍ଧ୍ର ଓ ଛତିଶଗଡ ଅଞ୍ଚଳର କେତେକ ମାଓବାଦୀ ସଙ୍ଗଠନ ଏଥିରେ ସାମିଲ ଅଛନ୍ତି। ତେବେ ଏନେଇ ଗୋଇନ୍ଦା ସୂତ୍ରରୁ ଖବର ପାଇବା ପରେ ପୋଲିସ ପକ୍ଷରୁ ତଲାସି ଅଭିଯାନକୁ ବଢାଇବା ସହ ସମ୍ପୃକ୍ତ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେଶନ ଜାରି ରହିଛି। ତେବେ ଏହାକୁ ନେଇ ଗତ କିଛିଦିନ ପୂର୍ବେ ଛତିଶଗଡ ଓ ମାଲକାନଗିରି ପୋଲିସ ମଧ୍ୟରେ ସମନ୍‌ୟ ବୈଠକ କରି ଜିଲାର ସମସ୍ତ ସୀମାବର୍ତ୍ତୀ ଅଞ୍ଚଳରେ ଚେକ ପୋଷ୍ଟ କରାଯାଇଥିବା ସହ ସିସି ଟିଭି ଲଗାଯାଇଛି।