ରାଜୀବ କୁମାର ନାୟକ
ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ୍ ଝିଅମାନଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ପାଇଁ ଅନୁମୋଦନ ଦେଇ ସାରିଛି। ଆଗରୁ କେବଳ ପୁଅ ପିଲାଙ୍କ ସକାଶେ ଆଇନଗତ ବିବାହ ବୟସ ୨୧ ଥିବାବେଳେ ଝିଅ ପିଲାଙ୍କ ଲାଗି ୧୮ ଧାର୍ଯ୍ୟ ହୋଇଥିଲା। ସବୁ କ୍ଷେତ୍ରରେ ପୁରୁଷ ମହିଳାଙ୍କ ସହ ସମାନ ତାଳରେ ଗତି କରିବାର କଥା ସରକାର ତଥା ଏକ ପ୍ରଗତିଶୀଳ ଗୋଷ୍ଠୀ କହୁଥିବା ବେଳେ ଏହି ନିଷ୍ପତ୍ତି ଉକ୍ତ ଦିଗରେ ଆଉ ଏକ ପାଦ ବୋଲି ତାଙ୍କ ମତ। କିନ୍ତୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଯେ ଏହା ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଡ଼ିତ ସମସ୍ତ ଗୋଷ୍ଠୀର ମତ ସଂଗ୍ରହ କରିବାର ଆବଶ୍ୟକତା ରହିଛି, ତାହାକୁ ଅଣଦେଖା କରାଯାଇଅଛି। ଏହା ଫଳରେ ବାଲ୍ୟ ବିବାହ କମିବା ପରିବର୍ତ୍ତେ ବଢ଼ିବ। ସରକାର ଗୋଟିଏ ଦିଗକୁ ଦୃଷ୍ଟିରେ ରଖି ଅନ୍ୟ ସବୁ ଦିଗକୁ ଅଣଦେଖା କରିଛନ୍ତି। ପ୍ରଥମତଃ ପ୍ରଜନନ ସ୍ବାସ୍ଥ୍ୟ କଥା ଦେଖିଲେ କିଶୋରୀମାନଙ୍କ କ୍ଷେତ୍ରରେ ପ୍ରାୟତଃ ୧୫ ବର୍ଷ ବେଳକୁ ମାସିକ ଋତୁସ୍ରାବ ଆରମ୍ଭ ହୋଇଯାଉଛି, ଅର୍ଥାତ୍ ସେମାନେ ମାଆ ହେବା ପାଇଁ ସକ୍ଷମ ହେଇ ଯାଉଛନ୍ତି। ତେଣୁ ପ୍ରଜନନ ସ୍ବାସ୍ଥ୍ୟକୁ ନେଇ ଯେଉଁ ସମ୍ବେଦନଶୀଳତା ରହିଛି, ତାହା ବିବାହଯୋଗ୍ୟ ବୟସ ୨୧କୁ ବୃଦ୍ଧି କରିଦେବା ଫଳରେ ଆହୁରି ବଢ଼ିବା ସମ୍ଭାବନା ରହିଛି। ବର୍ତ୍ତମାନ ସମୟରେ ଟେଲିଭିଜନ ତଥା ଇଣ୍ଟରନେଟ୍ ପ୍ରଭାବରେ କମ୍ ବୟସରୁ ଭଲପାଇବା, ଯୌନ ସମ୍ପର୍କ ସ୍ଥାପନ ଭଳି ଅନେକ ଘଟଣା ବୃଦ୍ଧି ପାଉଛି। ଫଳତଃ ଏହି ନିଷ୍ପତ୍ତି ଦ୍ୱାରା କମ୍ ବୟସରେ ଗର୍ଭଧାରଣ, ଗର୍ଭପାତ, କୁମାରୀ ମାତୃତ୍ୱ, ପୁଅଝିଅଙ୍କ ପଳାୟନ, ପରିତ୍ୟକ୍ତ ଶିଶୁର ମାତ୍ରା ଇତ୍ୟାଦି ଯଥେଷ୍ଟ ବଢ଼ିବାରେ ଏହା ଆହୁରି ସହାୟକ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏହା ସତ ଯେ ବିଳମ୍ବରେ ବିବାହ କଲେ ପରିବାରର ଆକାର ଛୋଟ ହେବ, ଯାହାକି ଜନସଂଖ୍ୟା ବୃଦ୍ଧିରେ ରୋକ ଲଗାଇବା ନିମନ୍ତେ ସହାୟକ ହେବ। ଆଉ ମଧ୍ୟ କମ୍ ଓଜନର ଶିଶୁ, ମାତୃମୃତ୍ୟୁ, ଶିଶୁମୃତ୍ୟୁ ଗୋଚରକୁ କମ ଆସିବେ। ଝିଅ ପିଲାଙ୍କ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେମାନେ ପ୍ରଜନନ ସ୍ବାସ୍ଥ୍ୟ ସମ୍ବନ୍ଧରେ ଯଥେଷ୍ଟ ସଚେତନ ହୋଇପାରିବେ। କିନ୍ତୁ ସରକାର ଯେଉଁ ଯୁକ୍ତି ବାଢୁଛନ୍ତି ଯେ, ବିବାହ ବୟସ ବୃଦ୍ଧି କରିଦେଲେ ଝିଅମାନେ ଉଚ୍ଚଶିକ୍ଷା ଲାଭ କରିବେ, ଆତ୍ମନିର୍ଭରଶୀଳ ହୋଇପାରିବେ। ତାହା ବାହାରକୁ ଠିକ୍ ଲାଗୁଥିଲେ ମଧ୍ୟ ବାସ୍ତବରେ ତାହା ସେତେ ସହଜ ନୁହେଁ, ଯଦିଓ ଏହି ନିଷ୍ପତ୍ତି ଦ୍ୱାରା ଅଳ୍ପ କିଛି ବାଳିକା ଉପକୃତ ହେବେ। ବିଶେଷ ଭାବରେ ଯେଉଁମାନଙ୍କର ଉଚ୍ଚଶିକ୍ଷା ଲାଭ କରିବାର ଇଚ୍ଛାଶକ୍ତି ଦୃଢ଼ ଅଛି, ଶିକ୍ଷାଲାଭ କରିବା ସକାଶେ ତାଙ୍କ ନିକଟରେ ସମସ୍ତ ସୁବିଧା ଅଛି ଏବଂ ତାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ବିବାହ କରିବାକୁ ଘରେ ଜୋର ଦେଉଛନ୍ତି। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଝିଅକୁ ଭିନ୍ନ ଭାବୁଥିବା, ଝିଅ ଜନ୍ମ ହେବାଠାରୁ ସନ୍ତୁଳି ହେଉଥିବା ମାତାପିତା ଆଇନକୁ ଅମାନ୍ୟ କରି କନ୍ୟାର ବିବାହ କରିବାକୁ ଶତତ ଚେଷ୍ଟିତ ହେବେ, ଯଦ୍ଦ୍ବାରା ଆଇନ ଥିବା ସତ୍ତ୍ୱେ ବାଲ୍ୟ ବିବାହର ମାତ୍ରା ବଢ଼ିବାର ସମ୍ଭାବନା ରହିଛି।
ଅନ୍ୟ ଦିଗରୁ ଦେଖିଲେ ପିଲା ସଂଖ୍ୟାକୁ ନଜରରେ ରଖି ଯେତିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ ବ୍ୟତୀତ ଆଇ.ଟି.ଆଇ., ପଲିଟେକ୍ନିକ ଇତ୍ୟାଦି ବୈଷୟିକ ଶିକ୍ଷାନୁଷ୍ଠାନ ରହିବା କଥା ସେତିକି ନାହିଁ। ତେଣୁ ନାରୀ ଶିକ୍ଷାକୁ ଗୁରୁତ୍ୱାରୋପ କଲେ ପର୍ଯ୍ୟାପ୍ତ ପରିମାଣର ସିଟ୍ ସୃଷ୍ଟି କରିବା ଆବଶ୍ୟକ। ସାମ୍ପ୍ରତିକ ସ୍ଥିତିରେ ଏହିସବୁ ଅନୁଷ୍ଠାନ ପ୍ରାୟତଃ ସହରାଞ୍ଚଳରେ ରହିଛି। ତେଣୁ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ସଂଖ୍ୟାରେ ଉଚ୍ଚଶିକ୍ଷା ନିମିତ୍ତ ଅନୁଷ୍ଠାନ ଖୋଲିବା ଆବଶ୍ୟକ, ଯାହାକି ସହଜ ନୁହଁ। କାରଣ ଆଜି ମଧ୍ୟ ଅନେକ ଗଁାରେ ପଞ୍ଚମ ଶ୍ରେଣୀଯାଏଁ ପଢ଼ିବାର ବ୍ୟବସ୍ଥା ହୋଇ ପାରିନାହିଁ। ସରକାରଙ୍କ ଦୃଷ୍ଟିଭଙ୍ଗୀକୁ ବିଚାର କଲେ, ଜାତିସଂଘ ଶିଶୁ ଅଧିକାର ସମ୍ମିଳନୀ ୧୯୮୯ ଅନୁଯାୟୀ ସମଗ୍ର ବିଶ୍ୱ ୧୮ ବର୍ଷରୁ ତଳକୁ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶିଶୁ ଭାବରେ ଅଭିହିତ କରିଥିବାବେଳେ ଭାରତ ଏହାର ଏକ ପ୍ରମୁଖ ସ୍ବାକ୍ଷରକାରୀ ଭାବରେ ୧୮ ବର୍ଷରୁ ତଳକୁ ଏଠାରେ ଶିଶୁ ବୋଲି ଧରାଯାଇଥାଏ। କିନ୍ତୁ ଏବେ ବିବାହ ସକାଶେ ଆଇନଗତ ବୟସ ୨୧କୁ ବଢ଼ାଇବା ଫଳରେ ଗୋଟିଏ ଦିଗରୁ ୨୧ ବର୍ଷରୁ ତଳକୁ ଶିଶୁ ବୋଲି କହିଲାବେଳେ ଅନ୍ୟ ଦିଗରୁ ଦିଲ୍ଲୀର ବର୍ବରୋଚିତ ନିର୍ଭୟା ଘଟଣା ପରେ କିଶୋର ନ୍ୟାୟ (ଶିଶୁର ଯତ୍ନ ଓ ସୁରକ୍ଷା ଅଧିନିୟମ) ୨୦୧୫ ଅନୁଯାୟୀ ଜଘନ୍ୟ ଅପରାଧ କ୍ଷେତ୍ରରେ ୧୬ରୁ ୧୮ ବର୍ଷର ଶିଶୁ ଆଇନ ସହ ଦ୍ୱନ୍ଦ୍ୱରେ ଆସିଲେ ପ୍ରାରମ୍ଭିକ ଆକଳନ (ପ୍ରେଲିମିନାରୀ ଆସେସମେଣ୍ଟ) କରି ଶିଶୁ ସମ୍ପୃକ୍ତ ଅପରାଧ ଘଟାଇବାକୁ ଶାରୀରିକ ଏବଂ ମାନସିକ ଭାବରେ ସକ୍ଷମ କି ନୁହଁ କିମ୍ବା ସେ ଏହି ଅପରାଧର ପରିଣାମ ସମ୍ବନ୍ଧରେ ସଚେତନ କି ନୁହଁ ଦେଖି କିଶୋର ନ୍ୟାୟ ବୋର୍ଡ କେସ୍ଟିକୁ ନିଜ ପାଖରେ ରଖିବା ବା ବୟସ୍କଙ୍କ ଭଳି ବ୍ୟବହାର କରୁଥିବା ଦେଖି ଚିଲ୍ଡ୍ରେନ୍ସ କୋର୍ଟରେ ବିଚାର ନିମିତ୍ତ ପଠାଇ ଦେବାର ବ୍ୟବସ୍ଥା ରହିଛି। ତେଣୁ ଗୋଟିଏ ପଟେ ସରକାର ୧୬ ବର୍ଷରୁ ବୟସ୍କ ଧରୁଥିବାବେଳେ ଅନ୍ୟ ପଟେ ୨୧ ଧରିବା ବିରୋଧାଭାସ ନୁହଁ କି? ଶିଶୁମାନଙ୍କ ନିମନ୍ତେ ଅଭିପ୍ରେତ ସମସ୍ତ ଆଇନରେ ଶିଶୁର ବୟସକୁ ସମାନ ଭାବରେ ଅଭିହିତ କରିବା ଆବଶ୍ୟକ। ବାଧ୍ୟତାମୂଳକ ଶିକ୍ଷା ଏବଂ ମାଗଣା ଶିକ୍ଷା ଆଇନରେ ୧୪ ବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେଉଥିବା ବେଳେ, ଶିଶୁ ଶ୍ରମିକ (ନିରୋଧ ଏବଂ ନିୟନ୍ତ୍ରଣ) ଆଇନରେ ୧୪ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାରଣ ଏବଂ ୧୪ରୁ ୧୮ ବର୍ଷ ପିଲାଙ୍କ ପାଇଁ କେବଳ ତିନୋଟି ସଙ୍କଟଜନକ କ୍ଷେତ୍ର/ପ୍ରକ୍ରିୟାରେ କାମ କରିବାକୁ ବାରଣ କରାଯାଇଅଛି। ଆହୁରି ମଧ୍ୟ ଭାରତରେ ୧୮ ବର୍ଷରେ ପଦାର୍ପଣ କଲେ ସାବାଳକ ହୋଇ ନିଷ୍ପତ୍ତି ନେବା ଅଧିକାର ପାଇବା ପୂର୍ବକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇ ନିଜ ପସନ୍ଦର ପ୍ରତିନିଧି ବାଛି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଥାଏ। ତେଣୁ ୧୮ ବର୍ଷରେ ସେ ବିବାହ କରିବ କି ନ କରିବ, ଯଦି କରିବ ସେ ବାପା କି ମାଆ ଶୀଘ୍ର ହେବ କି ନ ହେବ,ସେ ତା’ ପାଠପଢ଼ାକୁ ଜାରି ରଖିବ କି ନାହିଁ ସେଭଳି ନିଷ୍ପତ୍ତି ସେ କାହିଁକି ନେଇପାରିବ ନାହିଁ। ବହୁ ପୂର୍ବରୁ ବିବାହ ବୟସ ଥିବା ୧୫ ବର୍ଷକୁ ସାରଦା ଆଇନରେ ସଂଶୋଧନ ଅଣାଯାଇ ଏହି ବୟସ ସୀମାକୁ ୧୮କୁ ୧୯୭୮ ମସିହାରେ ବୃଦ୍ଧି କରାଯିବାର ଆବଶ୍ୟକତା ଯଥେଷ୍ଟ ଥିଲା। କାରଣ ୧୫ରୁ ୧୮ବର୍ଷ ବୟସରେ କୈଶୋରର ଚପଳତା ଯାଇ ନ ଥାଏ ଏବଂ ଏଭଳି ଏକ ସ୍ପର୍ଶକାତର ସମୟରେ ପ୍ରଜନନ ସ୍ବାସ୍ଥ୍ୟର ଆବଶ୍ୟକତା ଅନୁଭୂତ ହୋଇ ଯାଇଥାଏ। ତେଣୁ ଏହି ସମୟରେ ପଥ ହୁଡ଼ିଯିବାର ଯଥେଷ୍ଟ ସମ୍ଭାବନା ଥାଏ। ଆମେ ଯଦି ଦେଖିବା ବିଗତ କିଛି ବର୍ଷ ମଧ୍ୟରେ ଉଭୟ ସରକାର ତଥା ୟୁନିସେଫ୍ର ପ୍ରୟାସ କ୍ରମେ ବାଲ୍ୟ ବିବାହକୁ ରୋକିବାରେ ଆମେ ଅନେକ ମାତ୍ରାରେ ସଫଳ ହୋଇପାରିଛେ। ଜନସାଧାରଣଙ୍କ ମଧ୍ୟରେ ଏ ସମ୍ପର୍କରେ ସଚେତନତା ବୃଦ୍ଧି ପାଇ ଆସୁଥିଲା। ଏବେ ଏହି ନିଷ୍ପତ୍ତି ଫଳରେ ତାହା କି ମୋଡ଼ ନେବ ତାହା ସମୟ କହିବ। ପ୍ରଶାସନିକ ଦୃଷ୍ଟିକୋଣରୁ ମଧ୍ୟ ଏହି ବିବାହ ବୟସ ବୃଦ୍ଧି ବିଚାର୍ଯ୍ୟ। ବର୍ତ୍ତମାନ ସାଧାରଣ ଭାବରେ ୧୮ ବର୍ଷରୁ କମ୍ ବ୍ୟକ୍ତି ବିଶେଷଙ୍କୁ ଶିଶୁ ଧରାଯାଉଥିବାରୁ ବାଲ୍ୟ ବିବାହକୁ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି, ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟି, ଚାଇଲ୍ଡ ଲାଇନ, ଜିଲା ଶିଶୁ ସୁରକ୍ଷା ୟୁନିଟ୍ ତଥା ଶିଶୁ ମଙ୍ଗଳ ସମିତି ବନ୍ଦ କରିବାରେ ଯତ୍ନଶୀଳ ହେଉଛି। ତେଣୁ ୨୧ ବର୍ଷ ତଳକୁ ବାଲ୍ୟ ବିବାହ ଧରାଗଲେ ୧୮ରୁ ୨୧ ବର୍ଷ ବୟସ ମଧ୍ୟରେ ୨୦୧୧ ଜନଗଣନା ଅନୁଯାୟୀ ଥିବା ୪ କୋଟି ୬୪ ଲକ୍ଷ କେବଳ ବାଳିକା ଥିବାବେଳେ ବାଳକ ସଂଖ୍ୟା ମିଶିଲେ ଏହା ପାଖାପାଖି ୯ କୋଟି ହେବ, ଯାହାକି ଏକ ବିରାଟ ସଂଖ୍ୟା। ତେଣୁ ଏତେ ବ୍ୟକ୍ତିବିଶେଷଙ୍କ କଥା କିଏ ବୁଝିବ ତାହା ଆଉ ଏକ ପ୍ରଶ୍ନ। ଯଦିଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀମାନଙ୍କୁ ବାଲ୍ୟ ବିବାହ ନିରୋଧ ଅଧିକାରିଣୀ ରୂପେ ଅଭିହିତ କରାଯାଇଅଛି, ସେ କେବଳ ପୋଲିସ ସହାୟତାରେ ବାଲ୍ୟବିବାହ ରୋକିବା ସେତେଟା ସହଜ ନୁହଁ।
ପରିଶେଷରେ ସରକାର ତରବରିଆ ଭାବରେ ଏହାକୁ ସଂସଦରେ ଗୃହୀତ କରାଇବାର ଚେଷ୍ଟା କରିବା ପୂର୍ବରୁ ଜନସାଧାରଣଙ୍କ ମତାମତ ଲୋଡ଼ିବା ଉଚିତ ହେବ। ଏତଦ୍ବ୍ୟତୀତ ସରକାର ନାରୀ ସଶକ୍ତୀକରଣ ଦିଗରେ ଏକ ଅନୁକୂଳ ପରିବେଶ ସୃଷ୍ଟି ନିମିତ୍ତ ସହରାଞ୍ଚଳ ଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରିବା ଆବଶ୍ୟକ, ଯଦ୍ଦ୍ବାରା ସ୍ବତଃପ୍ରବୃତ୍ତ ଭାବରେ ଉଭୟ ପୁଅ ଏବଂ ଝିଅ ଉଚ୍ଚଶିକ୍ଷା ଲାଭ କରିପାରିବେ ଏବଂ ଆତ୍ମନିର୍ଭରଶୀଳ ହୋଇପାରିବେ। ଫଳତଃ ବିବାହ ବିଳମ୍ବରେ କରିବାକୁ ଉଚିତ ମଣିବେ। ଆହୁରି ମଧ୍ୟ ସରକାର କେବଳ ବିବାହ ବୟସକୁ ବଢ଼ାଇ ଦେଲେ ହେବ ନାହିଁ, ବରଂ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କଲେ ଏହା ବିଳମ୍ବ ବିବାହକୁ ପ୍ରୋତ୍ସାହିତ କରିବ।
ପଦରପଡ଼ା, ବୌଦ୍ଧ
ମୋ: ୯୪୩୭୫୭୧୮୩୧