ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଆତ୍ମନିର୍ଭର ଭାରତ ପାଇଁ ଲଗାତର ନିଜର ସାମର୍ଥ୍ୟ ଏବଂ କ୍ଷମତାକୁ ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ। ବିଗତ ବର୍ଷଗୁଡିକରେ ଆମେ ରିଫାଇନିଂ ଏବଂ ଜରୁରୀକାଳୀନ ସ୍ଥିତି ପାଇଁ ତୈଳ ଷ୍ଟୋରେଜ କ୍ଷମତାରେ ଯଥେଷ୍ଟ ବୃଦ୍ଧି କରିଛୁ ବୋଲି ସୋମବାର ଆସାମର ଠାରେ ତୈଳ ଓ ଗ୍ୟାସ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପୂର୍ବ ଭାରତକୁ ଅଭିବୃଦ୍ଧିର ଇଞ୍ଜିନ ଭାବେ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ା ପ୍ରଧାନମନ୍ତ୍ରୀ ଇଣ୍ଡିଆନ୍ ଅଏଲର ବଙ୍ଗାଇଗାଓଁ ତୈଳ ବିଶୋଧନାଗାରର ଇଣ୍ଡିମାକ୍ସ ୟୁନିଟ୍, ଦିବ୍ରୁଗଡର ମଧୁବନ ଠାରେ ଅଏଲ ଇଣ୍ଡିଆ ଲିମିଟେଡର ୪୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେକେଣ୍ଡାରୀ ଟ୍ୟାଙ୍କ୍ ଫାର୍ମ, ତିନିସୁକିଆର ମାକୁମ ସ୍ଥିତ ହେବେଡା ଗାଁରେ ଥିବା ୧୩୨ କୋଟି ବ୍ୟୟରେ ନିର୍ମିତ ଗ୍ୟାସ୍ କମ୍ପ୍ରେସର ଷ୍ଟେସନକୁ ଦେଶ ଉଦ୍ଦ୍ୟେଶରେ ଉତ୍ସର୍ଗ କରାଯାଇଥିବା ବେଳେ ପ୍ରାୟ ୪୫ କୋଟି ଟଙ୍କା ବ୍ୟୟରେ ଧମାଜୀ ଇଞ୍ଜିନିୟରିଂ କଲେଜର ଲୋକାର୍ପଣ କରିଛନ୍ତି। ଲୋକାର୍ପିତ ଇଣ୍ଡିଆନ୍ ଅଏଲର ବଙ୍ଗାଇଗାଓଁ ସ୍ଥିତ ତୈଳ ବିଶୋଧନାଗାରରେ ଥିବା ଇଣ୍ଡିମାକ୍ସ ୟୁନିଟ୍, ମଧୁବନ ସ୍ଥିତ ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ ଏବଂ ମାକୁମ ସ୍ଥିତ ଗ୍ୟାସ୍ କମ୍ପ୍ରେସର ଷ୍ଟେସନ୍ ଆସାମ ପାଇଁ ଉର୍ଜା ସୁରକ୍ଷା ଏବଂ ସମୃଦ୍ଧିର ଏକ ନୂତନ ଯୁଗ ଆରମ୍ଭ କରିବ ବୋଲି ସେ କହିଛନ୍ତି। ଆତ୍ମନିର୍ଭର ଭାରତ ଦୂରଦୃଷ୍ଟିରେ ଇଣ୍ଡିଆନ୍ ଅଏଲ ଗବେଷଣା ଓ ବିକାଶ(ଆର୍ଏଣ୍ଡଡ଼୍ି) ଦ୍ୱାରା ସ୍ବଦେଶୀ ଜ୍ଞାନ କୌଶଳରେ ଇଣ୍ଡିମାକ୍ସ ବିକଶିତ କରାଯାଇଛି। ଏହି ୟୁନିଟ୍ ବଙ୍ଗାଇଗାଓଁ ତୈଳ ବିଶୋଧନାଗାରର ଅଶୋଧିତ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ଏଲପିଜି ଏବଂ ଅନ୍ୟାନ୍ୟ ସ୍ବଚ୍ଛ ଇନ୍ଧନର ଉପଲବ୍ଧିକୁ ବୃଦ୍ଧି କରିବ। ସେହିପରି ଅଏଲ୍ ଇଣ୍ଡିଆର ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ ଏବଂ ମାକୁମର ଗ୍ୟାସ ଷ୍ଟେସନ ତୈଳ ଏବଂ ଗ୍ୟାସ ପାଇଁ ସୁରକ୍ଷିତ ଏବଂ ପରିବେଶ ସହଯୋଗୀ ସଂରକ୍ଷଣ ନିଶ୍ଚିତ କରିବ। ଏହି ଅଞ୍ଚଳରେ ଉର୍ଜା ଉପଲବ୍ଧି ଏବଂ ଯୋଗାଣ ନିରାପତ୍ତାକୁ ସୁଦୃଢ଼ କରିବ ଏବଂ ଗ୍ୟାସ ଆଧାରିତ ଅର୍ଥନୀତିରେ ଭାରତକୁ ସହଯୋଗ ଦେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।