ମ୍ୟାଲେରିଆ ସମସ୍ତଙ୍କ ପାଇଁ କୌଣସି ନୂଆ ରୋଗ ନୁହେଁ। ଏହା ମଣିଷ ସଭ୍ୟତାର ଏକ ପୁରାତନ ରୋଗ। ଏହାର ପରଜୀବୀ (ପାରାସାଇଟ୍)କୁ ୧୮୯୭ ମସିହା ଅଗଷ୍ଟ ୨୦ ତାରିଖରେ ଆର୍ମି ସର୍ଜନ ଡା. ରୋନାଲଡ୍ ରସ୍ ଭାରତର ସିକନ୍ଦରାବାଦରେ ଆବିଷ୍କାର କରିଥିଲେ। କ୍ରମଶଃ ଏହାର ବାହକ ମାଈ ଏନୋଫିଲିସ ମଶା ଓ ପରଜୀବୀ ଚାରି ପ୍ରକାରର ବୋଲି ଜଣାପଡିଲା। ଏହି ଜ୍ୱର ସୃଷ୍ଟିକାରୀ ରୋଗର ଚିକିତ୍ସା ମଧ୍ୟ ସଫଳ ରୂପେ ହୋଇପାରିଲା ତତ୍ଜନିତ ଅତ୍ୟଧିକ ମୃତ୍ୟୁ ରୋକାଯାଇ ପାରିଥିଲା। ମ୍ୟାଲେରିଆ ସମ୍ପର୍କରେ ସବିଶେଷ ଭାବରେ ଜାଣିବା ଏବଂ ଜନସଚେତନା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ‘ବିଶ୍ୱ ମ୍ୟାଲେରିଆ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ୍ ରହିଛି ‘ମ୍ୟାଲେରିଆ ମୃତ୍ୟୁହାର ହ୍ରାସ ପାଇଁ ନୂତନ ପ୍ରୟାସ’।
ମ୍ୟାଲେରିଆ ନିୟନ୍ତ୍ରଣ ମୁଖ୍ୟତଃ ବାହକ (ଭେକ୍ଟର) ମଶା ନିୟନ୍ତ୍ରଣ ଉପରେ ନିର୍ଭର କରିଥାଏ। ମଶାମାନଙ୍କ ଦ୍ୱାରା ମ୍ୟାଲେରିଆ ବ୍ୟତୀତ ଡେଙ୍ଗୁ, ଫାଇଲେରିଆ, ପିତ୍ତଜ୍ୱର, ଚିକନଗୁନିଆ, ମସ୍ତିଷ୍କ ପ୍ରଦାହ, ଜିକା ଏବଂ ଆଉ କେତେକ ଭୂତାଣୁଜନିତ ରୋଗ ବ୍ୟାପିଥାଏ।
ଆମ ରାଜ୍ୟରେ ପାଖାପାଖି ଏକ ଲକ୍ଷ ଷାଠିଏକୋଟି କୀଟନାଶକ ଔଷଧ, ଦୀର୍ଘସ୍ଥାୟୀ ମଶାରି ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଜନସାଧାରଣଙ୍କୁ ବିନାମୂଲ୍ୟରେ ବିତରଣ କରାଯାଇଛି। ପ୍ରଥମେ ପ୍ରଥମେ ଲୋକମାନେ କେତେକ ବ୍ୟକ୍ତିଗତ କାରଣରୁ ଏହାର ବ୍ୟବହାର ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିଲେ, ମାତ୍ର ସମୟକ୍ରମେ ସେମାନେ ଏହାର ବ୍ୟବହାରକୁ ଅଭ୍ୟାସରେ ପରିଣତ କରିବା ଦ୍ୱାରା ଆମ ରାଜ୍ୟରେ ପ୍ରାୟ ୭୦ ପ୍ରତିଶତ ମ୍ୟାଲେରିଆ ହ୍ରାସ ପାଇଛି।
ମ୍ୟାଲେରିଆ ମଶା ଦ୍ୱାରା ବ୍ୟାପିଥାଏ। ଅର୍ଥାତ୍ ମଶା ମ୍ୟାଲେରିଆ ରୋଗୀଠାରୁ ଜୀବାଣୁ ରକ୍ତ ମାଧ୍ୟମରେ ଆଣିଥାଏ। ତେଣୁ ଉଭୟ ରୋଗୀ ଓ ସୁସ୍ଥ ଲୋକ ମଧ୍ୟରେ ଏକ ସୁରକ୍ଷାବଳୟ ସୃଷ୍ଟି କରିଥାଏ। ଏହି ଏକକ କାର୍ଯ୍ୟ ଦ୍ୱାରା ଆମ ରାଜ୍ୟ ମ୍ୟାଲେରିଆ ନିୟନ୍ତ୍ରଣରେ ଅଶାନୁରୂପ ସଫଳତା ଲାଭ କରିଛି। ଗୋଟିଏ ମଶାରିର ଦାମ୍ ଜଣେ ମ୍ୟାଲେରିଆ ରୋଗୀର ଚିକିତ୍ସା ଖର୍ଚ୍ଚଠାରୁ ଯଥେଷ୍ଟ କମ୍ ଏବଂ ମଣିଷ ଜୀବନର ମୂଲ୍ୟ ତୁଳନାରେ ଅତ୍ୟନ୍ତ ନଗଣ୍ୟ। ଏହି ଅଭ୍ୟାସକୁ ସମସ୍ତେ ଆପଣେଇଲେ ମ୍ୟାଲେରିଆର ସମ୍ପୂର୍ଣ୍ଣ ନିରାକରଣ କରାଯାଇପାରିବ।
ଆଉ ଗୋଟିଏ ଉପାୟ ହେଲା, ମଶାମାନଙ୍କ ନିୟନ୍ତ୍ରଣ ଅର୍ଥାତ୍ ମଶାମାନଙ୍କ ବଂଶବୃଦ୍ଧି କରିବାକୁ ନ ଦେବା। ସାଧାରଣତଃ ଅଣ୍ଡିରା ମଶା ପ୍ରାୟ ୧୦ଦିନ ବଞ୍ଚୁଥିବା ବେଳେ ମାଈ ମଶାମାନେ ୪୨-୫୬ଦିନ ବଞ୍ଚତ୍ଥାଆନ୍ତି। ଆଇଆରଏସ ଅର୍ଥାତ୍ କୀଟନାଶକ ସିଞ୍ଚନ ଦ୍ୱାରା ସେମାନଙ୍କୁ ମାରିବା ହେତୁ ସେମାନଙ୍କର ବଂଶବୃଦ୍ଧିକୁ ରୋକାଯାଇପାରୁଛି। ମାତ୍ର ମଶାମାନେ ଏସବୁ କୀଟନାଶକକୁ ପ୍ରତିରୋଧ କରି ବଞ୍ଚତ୍ ରହୁଛନ୍ତି। ଫଳରେ ଅନେକ କ୍ଷେତ୍ରରେ ଏହା ସଫଳତା ଆଣିପାରୁନାହିଁ।
ତୃତୀୟତଃ ମ୍ୟାଲେରିଆ ପ୍ରତିଷେଧକ ରୂପେ ଏକ ଟିକା-RTs,5/ASO1ର ପରୀକ୍ଷାମୂଳକ ରୂପେ ବ୍ୟବହାର ଦ୍ୱାରା ମ୍ୟାଲେରିଆକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣକୁ ଆଣିହେବ। ୨୦୩୦ ସୁଦ୍ଧା ଏହାକୁ ପୂରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଗତବର୍ଷ (୨୦୨୧-୨୨)ରେ ଆମ ରାଜ୍ୟରେ ୬୧,୫୯୯,୭୪ଟି ତୁରଣ ନିୟନ୍ତ୍ରଣ କିଟ୍, ଆରଡିକେ ଦ୍ୱାରା ରକ୍ତ ପରୀକ୍ଷା କରାଯାଇ ୨୨,୫୯୪ଟି ପିଏଫଆର ମ୍ୟାଲେରିଆ କେସ୍ ଓ ୨୯୦୯ଟି ପିଉଟି ମ୍ୟାଲେରିଆ କେସ୍ ନିଣ୍ଣୟପୂର୍ବକ ସଫଳ ଚିକିତ୍ସା ଦ୍ୱାରା ମ୍ୟାଲେରିଆ ମୃତ୍ୟୁକୁ ୧୩ରେ ସୀମିତ ରଖାଯାଇପାରିଛି। ଏହା ଆମ ରାଜ୍ୟ ପାଇଁ ବଡ ଉପଲବ୍ଧି।
ମ୍ୟାଲେରିଆ : କିଛି କଥା
ସାଧାରଣତଃ ଶିଶୁ ଓ ଗର୍ଭବତୀମାନଙ୍କୁ ଅଧିକ ହୋଇଥାଏ।
ପୃଥିବୀରେ ୨୪କୋଟି ୧୦ଲକ୍ଷ ମ୍ୟାଲେରିଆ କେସ୍ ହୋଇଥିଲା।
ବିଶ୍ୱରେ ମ୍ୟାଲେରିଆଜନିତ ମୃତ୍ୟୁ ଥିଲା ୬,୨୭,୦୦୦।
କମ୍ ପିଲା ଏହି ମୃତ୍ୟୁ ସଂଖ୍ୟାର ୮୦ ପ୍ରତିଶତ ଅଟନ୍ତି।
ଆଫ୍ରିକୀୟ ଦେଶଗୁଡ଼ିକରେ ଏହି ମ୍ୟାଲେରିଆର ୯୫ ପ୍ରତିଶତ କେସ୍ ଓ ୯୬ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ହୋଇଥିଲା।
ନିର୍ଣ୍ଣୟ ଓ ଚିକିତ୍ସା ଦ୍ୱାରା ମ୍ୟାଲେରିଆଜନିତ ମୃତ୍ୟୁକୁ ଅନେକାଂଶରେ ରୋକାଯାଇପାରିଥାଏ।
ଚାଇନାରେ ଆଦୌ ମ୍ୟାଲେରିଆ ହୋଇ ନ ଥିଲା। ୨୦୨୧ରେ ଏହି ଦେଶକୁ ମ୍ୟାଲେରିଆମୁକ୍ତ ଘୋଷଣା କରାଯାଇଥିଲା।
ମାଲେସିଆକୁ ଲଗାତର ତିନି ବର୍ଷ ମ୍ୟାଲେରିଆମୁକ୍ତ ଘୋଷଣା କରାଯାଇଥିଲା। ହେଲେ ସେଠାରେ ଗତବର୍ଷ ୨୬୦୦ ମ୍ୟାଲେରିଆ କେସ୍ ହୋଇଥିଲା।
ଓ କୋରିଆରେ ମଧ୍ୟ ମ୍ୟାଲେରିଆ ନ ଥିବା ଜଣାପଡ଼ିଛି।
ମ୍ୟାଲେରିଆରେ ୨୪ ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ହେବାର ଆଶଙ୍କା ରହିଛି।
ଏକ ପ୍ରତିଷେଧ କରାଯାଇପାରୁଥିବା ଓ ସଫଳ ଚିକିତ୍ସା କରାଯାଇପାରୁଥିବା ରୋଗ।
ଔଷଧ ‘ACT’ ଅତ୍ୟନ୍ତ ଫଳପ୍ରଦ ମାତ୍ର ଏହା ତୁରନ୍ତ କରାଯିବା ଉଚିତ।
ସରକାରଙ୍କ ପକ୍ଷରୁ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ରାପିଡ୍ ଡାଇଗ୍ନୋଷ୍ଟିକ୍ ଟେଷ୍ଟ ପାଇଁ କିଟ୍ ଇତ୍ୟାଦି ଯୋଗାଣ ହୋଇଛି ଏବଂ ମ୍ୟାଲେରିଆକୁ ସହଜରେ ପରୀକ୍ଷା କରାଯାଇପାରୁଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସମସ୍ତଙ୍କ ସହଯୋଗରେ ମ୍ୟାଲେରିଆକୁ ନିୟନ୍ତ୍ରଣ କରାଯାଇପାରିବ।
ଡା. ରାମଚନ୍ଦ୍ର ରାଉତ
-ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ସୂଚନା ଓ ପରିସଂଖ୍ୟାନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ମୋ : ୮୨୪୯୦୮୭୯୯୫