Categories: ଜାତୀୟ

ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଉଦ୍ଧାର ଉଦ୍ୟମ

ନୂଆଦିଲ୍ଲୀ,୨୬ା୨(ପି.ଟି.): ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ସେଠାର ବାୟୁସୀମା ବେସାମରିକ ବିମାନ ଚଳାଚଳ ପାଇଁ ବନ୍ଦ ହୋଇଯାଇଛି। ଫଳରେ ୟୁକ୍ରେନ୍‌ରେ ଅଟକି ରହିଥିବା ଭାରତୀୟମାନଙ୍କୁ ନିରାପଦର ସହ ଫେରାଇ ଆଣିବା ଲାଗି ଏୟାର ଇଣ୍ଡିଆର ଦୁଇଟି ବିମାନ ପଠାଯାଇଛି। ଯେଉଁ ଭାରତୀୟମାନେ ୟୁକ୍ରେନ୍‌-ରୋମାନିଆ ସୀମାରେ ପହଞ୍ଚତ୍ଛନ୍ତି, ସେମାନଙ୍କୁ ଭାରତ ସରକାରଙ୍କ ଅଧିକାରୀମାନେ ବୁଚାରେଷ୍ଟ ଆଣିବେ। ଏୟାର ଇଣ୍ଡିଆ ବିମାନ ଶନିବାର ବୁଚାରେଷ୍ଟରୁ ଭାରତୀୟମାନଙ୍କୁ ଧରି ନୂଆଦିଲ୍ଲୀ ଫେରିବ।
ପଡୋଶୀ ରୋମାନିଆ ଏବଂ ହଙ୍ଗେରି ଦେଇ ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ଉଦ୍ୟମ ହେଉଥିବା ଶୁକ୍ରବାର ୟୁକ୍ରେନ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସୀମାନ୍ତ ଚେକ୍‌ପଏଣ୍ଟ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଭାରତୀୟ ବିଶେଷକରି ଛାତ୍ରୀଛାତ୍ର ଏହି ଟିମ୍‌ ସହ ସମନ୍ବୟ ରକ୍ଷା କରି ପଳାଇ ଆସିବା ଲାଗି ଦୂତାବାସ ପକ୍ଷରୁ କୁହାଯାଇଛି। ସୀମାନ୍ତ ଚେକ୍‌ପଏଣ୍ଟକୁ ଆସୁଥିବା ଭାରତୀୟଙ୍କୁ ସାଙ୍ଗରେ ପାସ୍‌ପୋର୍ଟ, ନଗଦ ଅର୍ଥ (ଆମେରିକୀୟ ଡଲାର),ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ କୋଭିଡ୍‌ ଟିକା ସାର୍ଟିଫିକେଟ ସାଙ୍ଗରେ ଆଣି ଆସିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଯେଉଁ ଯାନରେ ସେମାନେ ସୀମାନ୍ତ ଚେକ୍‌ପଏଣ୍ଟକୁ ଆସିବେ, ସେଥିରେ ଭାରତୀୟ ପତାକା ଲଗାଇବାକୁ କୁହାଯାଇଛି।

Share