ହାତୀ ସହ ସେଲ୍‌ଫି ନେବାକୁ ବଢ଼ୁଛି ଉଦ୍ୟମ

ଢେଙ୍କାନାଳ,୧୬ା୯(ରତନ ନାୟାର): ଢେଙ୍କାନାଳ ଜିଲାର ବିଭିନ୍ନ ଜନବସତି ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ଅନେକ ସମୟରେ ସ୍କୁଲ ଓ କଲେଜ ଛାତ୍ରୀଛାତ୍ର ପଶିଆସୁଥିବା ହାତୀ ସହ ସେଲ୍‌ଫି ଉଠାଇବାକୁ ଉଦ୍ୟମ କରିବା ଘଟଣାକୁ ନେଇ ଜିଲା ପ୍ରଶାସନ ଓ ବନବିଭାଗ ଚିନ୍ତାବ୍ୟକ୍ତ କରିଛି। ଏ ନେଇ ଶୁକ୍ରବାର ଜିଲା କାର୍ଯ୍ୟାଳୟରେ ଏକ ବୈଠକ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଖୁବ୍‌ଶୀଘ୍ର ଜିଲା ବନଖଣ୍ଡ ଅଧିକାରୀ, ପୋଲିସ ଏବଂ ବନବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଏହାକୁ ରୋକିବା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବ ବୋଲି ଜିଲାପାଳ କହିଥିଲେ। ପ୍ରକାଶ ଯେ, ହାତୀପଲ ପ୍ରବେଶ କରୁଥିବା ଅଞ୍ଚଳରେ ଥିବା ଯୁବପିଢୀ, ସ୍କୁଲ କଲେଜ ଛାତ୍ରୀଛାତ୍ରଙ୍କ ମଧ୍ୟରୁ କେତେଜଣ ହାତୀପଲଙ୍କ ପଛରେ ଯାଇ ଚିଡେଇବା ଭଳି କାର୍ଯ୍ୟ କରିବା ସହିତ ସେଲଫି ନେବା ଘଟଣା ଦିନକୁ ଦିନ ବଢୁଛି। ସ୍ଥାନୀୟ ବନବିଭାଗ ଅଧିକାରୀ ଓ କର୍ମଚାରୀମାନେ ଯେତେ ବୁଝାଇଲେ ମଧ୍ୟ ଏହାକୁ କେହି ଗୁରୁତ୍ୱ ପ୍ରଦାନ କରୁନାହାନ୍ତି। ପାଲଟା ବନବିଭାଗ କର୍ମଚାରୀ ଓ ଅଧିକାରୀଙ୍କୁ ଗାଳିଗୁଲଜ କରୁଥିବା ଦେଖାଯାଇଛି। ଅତୀତରେ ସେଲଫି ଉଠାଇବାକୁ ଯାଇ ହାତୀ ଆକ୍ରମଣରେ କେତେଜଣ ଗୁରୁତ ହୋଇଥିବା ନଜିର ରହିଛି। ଫଳରେ ଏପରି ଘଟଣାକୁ ନେଇ ବୈଠକରେ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଥିଲା।

Share