ବଲାଙ୍ଗୀର ଅଫିସ,୧୪ା୧୨: ପୁଇଁତଳା ପ୍ୟାକ୍ସ ପରିଦର୍ଶନରେ ଯିବାବେଳେ ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ ମଙ୍ଗଳବାର ଅଣ୍ଡାମାଡ଼ ହୋଇଥିଲା। କିଛି ବିଜେଡି କର୍ମୀ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିବା ସହ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଇଁତଳା ଥାନାରେ ୪ ଜଣ ବିଜେଡି କର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣା ପ୍ରତିବାଦରେ ବୁଧବାର ଭାଜପା ପକ୍ଷରୁ ଏସ୍ପି ଅଫିସ ଘେରାଉ କରାଯାଇଛି। ଭାଜପା ଜିଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ, ଅନନ୍ତ ଦାଶ, ମହେନ୍ଦ୍ର ଠାକୁର, ମୁକେଶ ଜୈନ, ପଙ୍କଜିନୀ ପଣ୍ଡା, ଅନୀଲ ପାଣିଗ୍ରାହୀଙ୍କ ସମେତ ଶତାଧିକ ଭାଜପା ନେତା ଓ କର୍ମୀ ଶୋଭାଯାତ୍ରାରେ ଏସ୍ପି ଅଫିସ ସମ୍ମୁଖକୁ ଆସିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଣ୍ଡା ମାଡ଼ କରିଥିବା ବିଜେଡି କର୍ମୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏସ୍ପି ନୀତିନ କୁଶଲକରଙ୍କୁ ଭେଟି ଆଲୋଚନା କରିଥିଲେ। ଏସ୍ପି କୁଶଲକର ଦୁଇ ଅଭିଯୁକ୍ତ ସୁରେଶ ନାଏକ, ବିଷ୍ଣୁ ପଟେଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ଓ ଅନ୍ୟ ଦୁଇ ଫେରାର ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି।