୫-ଟି ସଚିବଙ୍କ ଗସ୍ତକୁ ବିରୋଧ କରି ଅଣ୍ଡାମାଡ଼

ନୟାଗଡ଼,୨୧ା୭(ଲୋକନାଥ ମିଶ୍ର): ଶୁକ୍ରବାର ୫-ଟି ସଚିବ ଭି.କେ ପାଣ୍ଡିଆନ ଓଡ଼ଗାଁ ଗସ୍ତରେ ଆକାଶପଥରେ ଆସି ମହୋତ୍ସବ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ବ୍ୟାପକ ପୋଲିସ ବନ୍ଦୋବସ୍ତରେ ବ୍ଲକ ଅଫିସ ଆସି ମିଶନ ଶକ୍ତି କାଫେ ଉଦ୍‌ଘାଟନ କରିବା ସହିତ ଜଳପାନ କରିଥିଲେ। ପରେ ଓଡ଼ଗାଁ ଶ୍ରୀରଘୁନାଥଜୀଉଙ୍କୁ ଦର୍ଶନ କରିବା ସହିତ ମନ୍ଦିରକୁ ୫-ଟିରେ ସାମିଲ କରିବାକୁ ପୂଜକ ପରିଷଦ ସଦସ୍ୟ ଓ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ୫-ଟି ସଚିବ। ପରେ ରାବେରାରେ ହେବାକୁ ଥିବା ଛତୁ ପ୍ରକ୍ରିୟାକରଣ ପ୍ରକଳ୍ପ ବୁଲି ଶରଣକୁଳ ମନ୍ଦିର ଦର୍ଶନ ଉଦେଶ୍ୟରେ ବାହାରିଥିଲେ।

ଅନ୍ୟପକ୍ଷରେ ବ୍ଲକ ଛକରେ ୫-ଟି ସଚିବଙ୍କୁ ବିରୋଧ କରି ଜିଲା ଓ ବ୍ଲକ କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ ପୂର୍ବକ ଗୋ ବ୍ୟାକ୍‌ ନାରା ଦିଆଯାଇଥିଲା। ଫଳରେ ଜିଲା ସଭାପତି ରଣଜିତ ଦାଶଙ୍କ ସମେତ ୨୩ ଜଣଙ୍କୁ ପୋଲିସ ଉଠାଇନେଇ ଥାନା ଭିତରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଅଟକ ରଖି ଛାଡ଼ିଥିଲା। ବ୍ଲକ ଛାତ୍ର କଂଗ୍ରେସ ସଭାପତି ଦିଲୀପ ବିଷୋୟୀ ଅଣ୍ଡାମାଡ଼ କରିଥିବା ବେଳେ ଲକ୍ଷ୍ୟ ଭ୍ରଷ୍ଟ ହୋଇଥିବା ସେ କହିଛନ୍ତି। ହେଲେ ଏହି ଘଟଣା ପରେ ପୋଲିସ ଦିଲୀପଙ୍କୁ ମଧ୍ୟ ଉଠାଇ ନେଇଥିଲା।