ଜଡ଼ାଫଳ ଖାଇ ୮ ଅଙ୍ଗନଓ୍ବାଡ଼ି ଶିଶୁ ଅସୁସ୍ଥ

ମାଲକାନଗିରି,୩ା୨: ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ମୁନୁସକୋଣ୍ଡା ଗ୍ରାମରେ ବୁଧବାର ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ୮ ଶିଶୁ ଜଙ୍ଗଲୀ ଜଡ଼ାଫଳ ଖାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି।
ଖବରରୁ ଜଣାପଡ଼ିଛି, କରୋନା ଯୋଗୁ ଦୀର୍ଘଦିନ ହେଲା ବନ୍ଦ ରହିଥିବା ଅଙ୍ଗନଓ୍ବାଡି କେନ୍ଦ୍ର ସୋମବାରଠାରୁ ଖୋଲାଯାଇଥିଲା। ମୁନୁସକୋଣ୍ଡା ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟ ଖୋଲିଥିଲା। ମାତ୍ର ଏଠାରେ ଶିଶୁମାନଙ୍କୁ ପାଠ ପଢିବା ପାଇଁ ଅନୁମତି ମିଳିନାହିଁ। ବୁଧବାର ସକାଳେ କେନ୍ଦ୍ର ନିକଟରେ କେତେଜଣ ପିଲା ଖେଳୁଥିଲେ। ଏହି ସମୟରେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଲାଗି ରହିଥିବା ଜଡ଼ାଗଛର ଫଳ ପିଲାମାନେ ଖାଇ ଦେଇଥିଲେ। କିଛି ଘଣ୍ଟା ପରେ ସେମାନଙ୍କ ମୁଣ୍ଡ ବୁଲାଇବା, ପେଟ ବ୍ୟଥା ହୋଇ ବାନ୍ତିହେବା ଲକ୍ଷଣ ଦେଖାଦେଇଥିଲା। ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ଶିଶୁମାନଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ସେମାନଙ୍କ ଚିକିତ୍ସା କରାଯାଉଛି। ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ ଜଣାପଡିିଛି। ଏହି ଶିଶୁମାନଙ୍କ ମଧ୍ୟରେ ୨ପୁଅ ଓ ୬ଜଣ ଝିଅ ଅଛନ୍ତି।

Share