ତାଲା ଭାଙ୍ଗି ଜେଲରୁ ଫେରାର୍‌ ହୋଇଗଲେ ୮ କଏଦୀ

ହରିଦ୍ୱାର, ୨୨।୯: ଉତ୍ତରାଖଣ୍ଡ ହରିଦ୍ୱାରର ଏକ ଅସ୍ଥାୟୀ ଜେଲରୁ ୮ ଜଣ ବିଚାରଧୀନ କଏଦୀ ତାଲା ଭାଙ୍ଗି ଫେରାର୍‌ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ନରେନ୍ଦ୍ର ବାଲ୍ମିକୀ ଗ୍ୟାଙ୍ଗର ସଦସ୍ୟ ଥିଲେ। ଫେରାର୍‌ ହୋଇଥିବା ସମସ୍ତ ୮ ଜଣ କଏଦୀ ସନ୍ଧାନରେ ପୋଲିସ ପକ୍ଷରୁ ଜଙ୍ଗଲରେ କମ୍ବିଂ ଅପରେଶନ ଆରମ୍ଭ କରାଯାଇଛି। ସେହିଭଳି ସୀମା ଉପରେ ମଧ ତୀକ୍ଷ୍ନ ନଜର ରଖାଯାଇଛି। ପୋଲିସ ସୂଚନାରୁ ଜଣାପଡ଼ିଛି ଯେ, ଏହି ଘଟଣାଟି ମଙ୍ଗଳବାର ଭୋର ସମୟରେ ଘଟିଛି। ରୋଶନାବାଦ୍‌ସ୍ଥିତ ଏକ ଗୃହରେ ଅସ୍ଥାୟୀ ଭାବେ ବନିଥିବା ଜେଲରୁ ଏହି ୮ ଜଣ କଏଦୀ ଖସି ପଳାଇବାରେ ସଫଳ ହୋଇଥିଲେ। ଭୋର ସମୟରେ କଏଦୀମାନେ ବାରାକ ତାଲା ଭାଙ୍ଗି ୨ ମହଲା ଛାତରୁ ଡେଇଁ ପଳାଇଥିଲେ। ସୁରକ୍ଷାକର୍ମୀମାନେ ଯେତେବେଳେ ବାରାକରେ ପହଞ୍ଚିଥିଲେ ଏବଂ ୨ଟି ଗୃହ ଖାଲିଥିବା ଦେଖିଲେ ସେତେବେଳେ ଏହି ଅଘଟଣ ସାମ୍ନାକୁ ଆସିଥିଲା।

Share