ଉଦ୍‌ଘାଟନର ୮ ବର୍ଷ ବିତିଲା, କାର୍ଯ୍ୟକ୍ଷମ ହେଉନି ଶୌଚାଳୟ

କୋକସରା,୫ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ୨୦୧୬-୧୭ ବର୍ଷରେ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଉନ୍ନୟନ ପାଣ୍ଠିରୁ ବ୍ଲକ ପ୍ରଶାସନ ଏକ ସୁଲଭ ଶୌଚାଳୟ ନିର୍ମାଣ କରିଥିଲା। ନିର୍ମାଣ ପରେ ତତ୍କାଳୀନ ମନ୍ତ୍ରୀ ତଥା ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ଏହାକୁ ଉଦ୍‌ଘାଟନ କରିଥିଲେ। ଇତିମଧ୍ୟରେ ୮ବର୍ଷ ବିତିଯାଇଥିଲେ ବି ଏହା କାର୍ଯ୍ୟକ୍ଷମ ହୋଇନାହିଁ।
କୋକସରା ବ୍ଲକ ସଦର ମହକୁମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ଶତାଧିକ ରୋଗୀ ଓ ତାଙ୍କ ସମ୍ପର୍କୀୟ ସମେତ ବିଭିନ୍ନ କାମ ନେଇ ସ୍ବାସ୍ଥ୍ୟ କର୍ମଚାରୀ, ଆଶା କର୍ମୀ ଆସୁଛନ୍ତି। ହେଲେ ଶୌଚାଳୟ ନ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ରୋଗୀ ଓ ତାଙ୍କ ସମ୍ପର୍କୀୟ ରାତ୍ରିଯାପନ କରୁଥିବା ବେଳେ ଶୌଚାଳୟ ନ ଥିବାରୁ ଡାକ୍ତରଖାନା ନିକଟରେ ଥିବା ମତ୍ସ୍ୟ ବିଭାଗର ପୋଖରୀ ଓ ପଡିଆକୁ ଯାଉଛନ୍ତି। ତେବେ ରାତିରେ ସରୀସୃପ ଭୟ ଥିଲେ ବି ସେମାନେ ବାଧ୍ୟହୋଇ ଯାଉଥିବା କହିଛନ୍ତି।

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ରୋଗୀ କଲ୍ୟାଣ ସମିତି ଏହି ଶୌଚାଳୟ ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଛନ୍ତି। ଅନେକ ସମୟରେ ଶୌଚାଳୟ କାର୍ଯ୍ୟକ୍ଷମ ପାଇଁ ଦାବି ହେଉଥିଲେ ବି ଏଥିପ୍ରତି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ତତ୍ତ୍ୱଦର୍ଶୀ ଦାସଙ୍କୁ ପଚାରିବାରୁ ଶୌଚାଳୟ ଖୋଲିବା ପାଇଁ ବିଭିନ୍ନ ସମୟରେ ବୈଠକରେ ଆଲୋଚନା କରାଯାଇ ଟେଣ୍ଡର କରାଯାଇଛି। ହେଲେ କୌଣସି ଲୋକ ଶୌଚାଳୟ ଖୋଲିବା ପାଇଁ ରାଜି ହେଉନାହାନ୍ତି। ଫଳରେ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ବୋଲି କହିଛନ୍ତି।