ମିଳିଲା ଅଷ୍ଟମ ମହାଦେଶ, ସୂଚନା ଦେଲେ ବୈଜ୍ଞାନିକ

ଓ୍ବାଶିଂଟନ,୨୮ା୯: ଆମେ ପୂର୍ବରୁ ଜାଣିଛେ ବିଶ୍ୱରେ ୭ଟି ମହାଦେଶ ରହିଛି। ଯଥା ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଏବଂ ଆଣ୍ଟାର୍କଟିକା। ମାତ୍ର ଭୂବିଜ୍ଞାନୀଙ୍କର ଏକ ଛୋଟ ଦଳ ବିଶ୍ୱର ଅଷ୍ଟମ ମହାଦେଶ ଆବିଷ୍କାର କରିଛନ୍ତି, ଯାହାର ନାମ ଜିଲାଣ୍ଡିଆ। ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ଯେ, ଏହି ମହାଦେଶ ଗୋଣ୍ଡଓ୍ବାନା ନାମକ ଏକ ମହାଦେଶର ଅଂଶ ଅଟେ। ପ୍ରାୟ ୧୦୫ ନିୟୁତ ବର୍ଷ ପୂର୍ବେ ଜିଲାଣ୍ଡିଆ ଗୋଣ୍ଡଓ୍ବାନାଠାରୁ ଅଲଗା ହୋଇଥିଲା। ଜିଲାଣ୍ଡିଆ ପ୍ରଥମେ ୧୬୪୨ରେ ଡଚ୍‌ ବଣିକ ତଥା ନାବିକ ଆବେଲ ତସମାନଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା। ଏହା ପରେ ବୈଜ୍ଞାନିକମାନେ ୨୦୧୭ରେ ଜିଲାଣ୍ଡିଆ ମହାଦେଶ ଆବିଷ୍କାର କରିଥିଲେ। ପ୍ରାୟ ୩୭୫ ବର୍ଷର ଅନୁସନ୍ଧାନ ପରେ ବୈଜ୍ଞାନିକମାନେ ଶେଷରେ ସଫଳତା ହାସଲ କରିଛନ୍ତି।

ଏହି ମହାଦେଶର ୯୪ ପ୍ରତିଶତ ୧୮.୯ ଲକ୍ଷ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଅବଶିଷ୍ଟ ୬ ପ୍ରତିଶତ ନ୍ୟୁଜିଲାଣ୍ଡ ଏବଂ ଛୋଟ ଦ୍ୱୀପପୁଞ୍ଜକୁ ନେଇ ଗଠିତ।

କିଛି ଦିନ ପୂର୍ବେ ଭୂତତ୍ତ୍ୱବିତ୍‌ ତଥା ଭୂକମ୍ପବିଜ୍ଞାନୀମାନଙ୍କର ଏକ ଅନ୍ତର୍ଜାତୀୟ ଦଳ ଟେକ୍ଟୋନିକ୍ସ ପତ୍ରିକାରେ ଜିଲାଣ୍ଡିଆର ମାନଚିତ୍ର ପ୍ରକାଶ କରିଥିଲେ। ବୈଜ୍ଞାନିକମାନେ ସମୁଦ୍ର ତଳୁ ମିଳିଥିବା ପଥରର ନମୁନା ଅଧ୍ୟୟନ କରିବା ପରେ ଏହି ମହାଦେଶର ଅସ୍ତିତ୍ୱ ବିଷୟରେ କହିଛନ୍ତି।

Share