୧୮ ଗ୍ରାମର ସୁନା ବ୍ରେସଲେଟ୍‌ ଡଷ୍ଟବିନରୁ ପାଇ ଏମିତି କଲେ ସ୍ବଚ୍ଛକର୍ମୀ

ଭୁବନେଶ୍ୱର,୧୮।୧୨: ସ୍ବଚ୍ଛକର୍ମୀଙ୍କ ମନକୁ ଛୁଇଁ ପାରିନି ଲୋଭ। ଅଳିଆ ଗଦାରୁ ଲକ୍ଷାଧିକ ଟଙ୍କାର ସୁନା ପାଇଲେ ବି ତାହାକୁ ପ୍ରକୃତ ମାଲିକଙ୍କୁ ଫେରାଇ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଏପରି ଏକ ଘଟଣା ଘଟିଛିରାଜଧାନୀ ଭୁବନେଶ୍ୱରରେ । ରାଜଧାନୀରେ ଅଳିଆଗଦାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ପାଇ ମାଲିକଙ୍କୁ ଫେରାଇଥିବା ସଫେଇ କର୍ମଚାରୀ ସରସ୍ବତୀ ନାଏକ ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।
ନ୍ୟୁ ଫରେଷ୍ଟ ପାର୍କ ଲେନ ୫ ବାସିନ୍ଦା ଦୀପିକା ମହାନ୍ତି ଭୁଲବଶଃତ ତାଙ୍କର ୧୮ ଗ୍ରାମର ଏକ ସୁନା ବ୍ରେସଲେଟ ଡଷ୍ଟବିନରେ ପକାଇ ଦେଇଥିଲେ । ତାହା ପର ଦିନ ଘରୁ ବର୍ଜ୍ୟ ସଂଗ୍ରହ କରୁଥିବା ସଫେଇ ଗାଡିକୁ ସେହି ଡଷ୍ଟବିନର ବର୍ଜ୍ୟ ଦେଇଥିଲେ।
ୟୁନିଟ-୧ ଏମ୍‌ଆରଏଫ୍‌ରେ ବର୍ଜ୍ୟ ଅଲଗା ଅଲଗା କରୁଥିବା ବେଳେ ସ୍ବଚ୍ଛକର୍ମୀ ସରସ୍ବତୀ ନାଏକ ସେହି ଦାମୀ ବ୍ରେସଲେଟଟି ପାଇଥିଲେ । ବ୍ରେସଲେଟଟି ପାଇବା ପରେ ଏନେଇ ସେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ।
ତଥ୍ୟ ପ୍ରମାଣ ପାଇବା ପରେ ସେହି ଦାମୀ ବ୍ରେସଲେଟକୁ ଦୀପିକା ମହାନ୍ତିଙ୍କୁ ଫେରାଇ ଦିଆଯାଇଛି। ହଜିଯାଇଥିବା ବ୍ରେସଲେଟ୍‌ ପାଇବା ପରେ ସେ ସରସ୍ବତୀଙ୍କ ସହିତ ପୁରା ଟିମଙ୍କୁ ତାଙ୍କର ଏହି ମହନୀୟତା ପାଇଁ କୃତଜ୍ଞତା ଜଣାଇଛନ୍ତି ।

Share