Categories: ଜାତୀୟ

ବିଧାନସଭାରେ କାନ୍ଦିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୪।୭: ମହାରାଷ୍ଟ୍ର ବିଧାନସଭାରେ ଗୁରୁବାର ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ଫ୍ଲୋର ଟେଷ୍ଟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବିଜୟ ହାସଲ କରିଛନ୍ତି। ୧୬୪ ଜଣ ବିଧାୟକ ଏକନାଥ ସିନ୍ଧେ ସରକାର ସପକ୍ଷରେ ମତ ଦେଇଛନ୍ତି। ଏଥି ସହିତ ତାଙ୍କ ବିରୋଧରେ ୯୯ ଭୋଟ ଦିଆଯାଇଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ମହାରାଷ୍ଟ୍ର ବିଧାନସଭାରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ସମୟରେ, ଏକନାଥ ସିନ୍ଦେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଙ୍କ ଦୁଇ ସନ୍ତାନଙ୍କ ବିଷୟରେ କହି ଭାବପ୍ରବଣ ହୋଇଥିଲେ। ସେ କହିଥିଲେ ଯେ, ଯେତେବେଳେ ମୋର ଦୁଇ ପିଲାଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ମୁଁ ଭାବୁଥିଲି କାହା ପାଇଁ ବଞ୍ଚିବି, ଏଣିକି ମୁଁ ପରିବାର ସହିତ ରହିବି। ବରିଷ୍ଠ ଶିବସେନା ନେତା ଆନନ୍ଦ ଦିଘେ ମୋତେ ବୁଝାଇଥିଲେ। ଆଜି ମୁଁ ବାଲାସାହେବ ଠାକରେ ଏବଂ ଆନନ୍ଦ ଦିଘେଙ୍କ ଆଶୀର୍ବାଦରେ ସରକାର ଗଠନ କରିଛି। ମୋ ସହିତ ଗତ ୧୫ରୁ ୨୦ ଦିନ, ୪୦ ଶିବସେନା ବିଧାୟକ, ୧୧ ଜଣ ସ୍ବାଧୀନ ବିଧାୟକ, ଯେଉଁମାନେ ମୋ ଉପରେ ବିଶ୍ୱାସ କରି ଏତେ ବଡ଼ ନିଷ୍ପତ୍ତି ନେବାକୁ ସାହସ କରିଛନ୍ତି, ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ମୁଁ ବିଶ୍ୱାସ କରିପାରୁ ନାହିଁ ଯେ, ମୁଁ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାବରେ କହୁଛି, ଏହା ଏକ ଐତିହାସିକ ଘଟଣା। ଆମ ସହିତ ଅନେକ ମନ୍ତ୍ରୀ ଥିଲେ, ଯେଉଁମାନେ ସେମାନଙ୍କର ମନ୍ତ୍ରୀ ପଦ ଛାଡି ଆମ ସହିତ ଯୋଗ ଦେଇଥିଲେ। ଆମ ସହିତ ୫୦ ଜଣ ବିଧାୟକ ଆସିଥିଲେ। ମୋ ଭଳି ଜଣେ ସାଧାରଣ ଶିବସେନା ନେତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।
ସୂଚନାଯୋଗ୍ୟ, ଏକ ଦୁର୍ଘଟଣାରେ ସିନ୍ଧେ ନିଜର ପୁଅ ଏବଂ ଝିଅକୁ ହରାଇଥିଲେ। ତାଙ୍କ ଆଖି ଆଗରେ ଏହି ଦୁର୍ଘଟଣା ଘଟିଥିଲା। ଏହାପରେ ସିନ୍ଧେ ଏକୁଟିଆ ହୋଇଯାଇଥିଲେ। ସେ ରାଜନୀତି ଛାଡି ଦେଇଥିଲେ। କିନ୍ତୁ ଆନନ୍ଦ ଦିଘେ ତାଙ୍କୁ ଅନେକ ବୁଝାସୁଝା କରିବା ପରେ ସେ ପୁଣି ରାଜନୀତି ମୈଦାନକୁ ଆସିଥିଲେ।

Share