ଗିରଫ ହୋଇପାରନ୍ତି ଏକତା କପୁର, ଶୋଭା କପୁର

ମୁମ୍ବାଇ,୨୯ ।୯: ବଲିଉଡର ଜଣାଶୁଣା ଫିଲ୍ମ, ସିରିଏଲ ଓ ୱେବ ସିରିଜ ନିର୍ମାତା ଏକତା କପୁର ଓ ଶୋଭା କପୁର ଗିରଫ ହୋଇପାରନ୍ତି । ମଙ୍ଗଳବାର ବେଗୁସରାଇ କୋର୍ଟ ପକ୍ଷରୁ ଏମାନଙ୍କୁ ଗିରଫ ପାଇଁ ୱାରେଣ୍ଟ ଜାରି କରାଯାଇଛି । ଏହି ଗିରଫ ୱାରେଣ୍ଟ ୱେବ ସିରିଜ ଥ୍ରି ଏକ୍ସର ସିଜନ ୨କୁ ନେଇ ଜାରି କରାଯାଇଛି । ଏଥିରେ ଥିବା ଆପତ୍ତିଜନକ ସିନ୍‌କୁ ନେଇ ବେଗୁସରାଇ କୋର୍ଟରେ ୨୦୨୧ରେ ମାମଲା ଦାୟର କରାଯାଇଥିଲା ।
କୋର୍ଟଙ୍କୁ ଅବଗତ କରାଯାଇଥିଲା କି ଏକତା କପୁରଙ୍କ ଏହି ୱେବ ସିରିଜରେ ଦେଶର ସେନାଙ୍କ ପତ୍ନୀଙ୍କ ଦ୍ୱାରା ସେନାଙ୍କ ପୋଷାକରେ ବନ୍ଧୁଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଦେଖାଯାଇଛି । ଏ ସମ୍ପର୍କରେ ବେଗୁସରାଇର ଅଧିବକ୍ତା ଋଷିକେଶ ପାଠକ କହିଥିଲେ ଏକତା କପୁର ଓ ଶୋଭା କପୁରଙ୍କ ଦ୍ୱାରା ଏହି ନିମ୍ନ ମାନର ୱେବ ସିରିଜକୁ ରିଲିଜ କରାଯାଇଛି । ଏଥିରେ ଭାରତୀୟ ସେନା ଯେଉଁମାନେ ଦେଶକୁ ରକ୍ଷା କରୁଛନ୍ତି , ଯେଉଁମାନଙ୍କ ପାଇଁ ଆମେ ସୁରକ୍ଷିତ ରହିଛୁ ସେମାନଙ୍କୁ ନେଇ ଦେଖାଯାଇଛି ଯେ ଯେତେବେଳେ ସେମାନେ ଡ୍ୟୁଟିରେ ଥାଆନ୍ତି, ସେତେବେଳେ ସେମାନଙ୍କ ପତ୍ନୀ ବନ୍ଧୁମାନଙ୍କୁ ଡକାଇ ସେନା ପୋଷାକ ପିନ୍ଧି ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିଥାଆନ୍ତି । ଏହାକୁ ନେଇ ବିଭିନ୍ନ ଜିଲାରେ ମାମଲା ରୁଜୁ କରାଯାଇଛି ।
ଏହି ୱେବ ସିରିଜର ସିନ୍‌କୁ ନେଇ ପୂର୍ବତନ ସେନା ପ୍ରକୋଷ୍ଠର ଶମ୍ଭୁ କୁମାର ବେଗୁସରାଇ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ଏହି ମାମଲା ରାଜୀବ କୁମାରଙ୍କ କୋର୍ଟ ମାଧ୍ୟମରେ ବିକାଶ କୁମାରଙ୍କ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା । ଏବେ ସେଠାରୁ ଏହି ଗିରଫ ୱାରେଣ୍ଟ ଜାରି କରାଯାଇଛି ।

Share