Categories: ଜାତୀୟ

ଛତିଶଗଡରେ ନିର୍ବାଚନକୁ ନେଇ ସରଗରମ ରାଜନୀତି: ରାଜ୍ୟ ଗସ୍ତରେ ଶାହା, ଖାର୍ଗେ ଓ ରାହୁଲ

ରାୟପୁର, ୨୫।୮: ଛତିଶଗଡରେ ବିଧାନସଭା ନିର୍ବାଚନ ନେଇ ଅଣ୍ଟା ଭିଡିଲେଣି ଭାଜପା, କଂଗ୍ରେସ। ନିର୍ବାଚନ ରଣନୀତି ପ୍ରସ୍ତୁତି ପାଇଁ ରାଜ୍ୟରେ ଡେରା ପକାଇଲେଣି ଶୀର୍ଷ ନେତା। ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କଂଗ୍ରେସ ରାଷ୍ଟ୍ରିୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ସେପ୍ଟେମ୍ବର ୮ରେ ରାଜନନ୍ଦଗାଓଁରେ ପହଞ୍ଚିବେ। ସେଠାରେ ପହଞ୍ଚି ସେ କୃଷକ ଏବଂ ମହିଳାଙ୍କ ସହ କଥାବାର୍ତ୍ତା ହେବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସେପ୍ଟେମ୍ବର ମାସରେ ରାଜ୍ୟ ଗସ୍ତ କରିପାରନ୍ତି।  ସେପ୍ଟେମ୍ବର ୨ରେ ରାହୁଲ ଗାନ୍ଧୀ ଏବଂ ସେପ୍ଟେମ୍ବର ୧୯ରେ କେ ସି ଭେଣୁଗୋପାଳ ରାଜ୍ୟ ଗସ୍ତ କରିପାରନ୍ତି ବୋଲି ପାର୍ଟିର ଶୀର୍ଷ ନେତାମାନେ ସୂଚନା ଦେଇଛନ୍ତି।

ରାଜ୍ୟର ସମସ୍ତ ନିର୍ବାନମଣ୍ଡଳୀ ତୃଣମୂଳ ସ୍ତରରେ ଦୃଢ କରିବାକୁ ଦଳ ଉଭୟ ଦଳ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସେପ୍ଟେମ୍ବରରେ ଶାହା ଛତିଶଗଡ ଆସି ଦଳର ନେତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ନେତାଙ୍କ କାନରେ ଗୁରୁମନ୍ତ୍ର ଫୁଙ୍ଖିବେ ବୋଲି ପାର୍ଟି ପକ୍ଷରୁ ଶୁଣିବାକୁ ମିଳୁଛି। ଏହା ବ୍ୟତୀତ ଏକ ରାଲିକୁ ମଧ୍ୟ ସମ୍ବୋଧିତ କରିବେ। କିନ୍ତୁ କେଉଁଠାରେ ରାଲି ଅନୁଷ୍ଠିତ ହେବ ସେନେଇ ଚର୍ଚ୍ଚା ଚାଲିଥିଲେ ମଧ୍ୟ କୌଣସି ସୂଚନା ମିଳିପାରି ନାହିଁ।

Share