ନିର୍ବାଚନ ପ୍ରଚାର ବ୍ୟବସ୍ଥା

ଲଳିତ ମୋହନ ମିଶ୍ର

 

ନିର୍ବାଚନରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ନିଜ ସପକ୍ଷରେ ପ୍ରଚାର କରି ମତଦାତାମାନଙ୍କୁ ପ୍ରଭାବିତ କରିଥାଆନ୍ତି। ତେବେ ୧୯୫୧ର ପ୍ରଥମ ସ୍ବାଧୀନତା-ପରବର୍ତ୍ତୀ ନିର୍ବାଚନଠାରୁ ୨୦୨୩ ନିର୍ବାଚନ ପର୍ଯ୍ୟନ୍ତ ମିଳୁଥିବା ତଥ୍ୟର ଅଧ୍ୟୟନ କଲେ ଜଣାଯାଏ ଯେ ନିର୍ବାଚନ ପ୍ରଚାରରେ ଆମୂଳଚୂଳ ପରିବର୍ତ୍ତନ ଘଟିଛି। ନିର୍ବାଚନ-ପ୍ରଚାରକୁ ଏବେ ନିର୍ବାଚନ-କମିଶନଙ୍କର ବିଭିନ୍ନ କଟକଣା ମଧ୍ୟରେ ଦଳ ଓ ପ୍ରାର୍ଥୀମାନେ କରିବାକୁ ବାଧ୍ୟ। ଅଭିଯୋଗ ପାଇଲେ ଜିଲାସ୍ତରରେ ଥିବା କେନ୍ଦ୍ର ନିର୍ବାଚନ ପର୍ଯ୍ୟବେକ୍ଷକମାନେ ଘଟଣାସ୍ଥଳକୁ ଯାଇ ପ୍ରଚାର ବନ୍ଦ କରିବା ଦେଖାଯାଉଛି ଏବଂ କମିଶନ, ପ୍ରାର୍ଥୀ ଓ ଦଳମାନଙ୍କୁ ଅଭିଯୋଗ ଆଧାରରେ ନୋଟିସ ଜାରି କରୁଛନ୍ତି। ତେବେ ମୌଳିକ ପ୍ରଶ୍ନ ଉଠୁଛି ଯେ ଏବର ନିର୍ବାଚନ ପ୍ରଚାରତନ୍ତ୍ର ମାଧ୍ୟମରେ ଦଳ ଓ ପ୍ରାର୍ଥୀମାନେ ମତଦାତାମାନଙ୍କୁ ଅଧିକ ଠିକ୍‌ ତଥ୍ୟ ପ୍ରଦାନ କରିବା ସହ ଅଧିକ ସଚେତନକରି ଭୋଟ ସଂଗ୍ରହ କରୁଛନ୍ତି ନା ମତଦାତାମାନଙ୍କୁ ଭ୍ରମିତ କରି ଭୋଟ ମାଗୁଛନ୍ତି। ଏବର ନିର୍ବାଚନ ପ୍ରଚାରତନ୍ତ୍ର, ଗଣତନ୍ତ୍ର ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛି।
ନିର୍ବାଚନ ପ୍ରଚାରର ଏକ ପ୍ରମୁଖ ମାଧ୍ୟମ ହେଲା ଗଣମାଧ୍ୟମ। ସରକାରୀ ଦଳ, ନିର୍ବାଚନ ବେଳେ ସରକାରୀ ବିଜ୍ଞାପନ ମାଧ୍ୟମରେ ସଦାସର୍ବଦା ଗଣମାଧ୍ୟମକୁ ନିଜ ସପକ୍ଷରେ ନେଇଥାଏ। କିନ୍ତୁ ଏବେ ଗଣମାଧ୍ୟମ ସଂସ୍ଥା, ବିଶେଷକରି ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାଗଣ ସରକାରୀଦଳ ସପକ୍ଷରେ ସମ୍ପୂର୍ଣ୍ଣ ସମର୍ପିତ ହେବା ଅଭିଯୋଗ ହେଉଛି। ଏପରି କି ବିରୋଧୀ ‘ଇଣ୍ଡିଆ‘ ମେଣ୍ଟ କେତେକ ଟି.ଭି.-ଚ୍ୟାନେଲ୍‌କୁ ବୟକଟ୍‌ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ଯେ ଏହି ଗଣମାଧ୍ୟମ ସଂସ୍ଥାମାନେ ଲୋକଙ୍କ ଅସୁବିଧାକୁ ଓ ବିରୋଧୀଦଳର କାର୍ଯ୍ୟକ୍ରମକୁ ଆଦୌ ପରିବେଷଣ କରୁନାହାନ୍ତି ବରଂ ସରକାରୀଦଳର ନୀତି ଓ ସରକାରଙ୍କ ସଫଳତାକୁ ପ୍ରଚାର କରି ଏକ ଦଳୀୟ ଅସ୍ତ୍ରରୂପେ କାମ କରୁଛନ୍ତି। ଜାତୀୟ ସ୍ତରରେ, ସରକାରଙ୍କୁ ସମାଲୋଚନା କରୁଥିବା କେତେଜଣ ବରିଷ୍ଠ ସାମ୍ବାଦିକଙ୍କୁ ଚାକିରିରୁ ବହିଷ୍କୃତ ହେବାକୁ ପଡ଼ିଛି। ଗଣମାଧ୍ୟମ ସଂସ୍ଥା କର୍ପୋରେଟ୍‌ମାନଙ୍କ ହାତକୁ ଚାଲିଯାଉଥିବାରୁ ସେମାନେ ସରକାରୀ ଦଳକୁ ଅଧିକ ସମର୍ଥନ କରିବା ଦେଖାଯାଉଛି। ଏହି କାରଣରୁ ଅନ୍ତର୍ଜାତୀୟ ପ୍ରେସ୍‌-ସ୍ବାଧୀନତା- ସୂଚୀରେ ଭାରତର ସ୍ଥାନ ବହୁତ ତଳେ ଥିବା ଦେଖିବାକୁ ମିଳୁଛି। ଗଣମାଧ୍ୟମର ଭୂମିକା ଗଣତନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏ ଦିଗରେ ଆଗକୁ ଗଣମାଧ୍ୟର ନିରପେକ୍ଷତାକୁ ବୃଦ୍ଧି କରିବା ପାଇଁ ସଂସ୍କାରର ଆବଶ୍ୟକତା ରହିଛି।
ମୁଖ୍ୟସ୍ରୋତ ଗଣମାଧ୍ୟମର ନିରପେକ୍ଷତା ହ୍ରାସ, ସାମାଜିକ ଗଣମାଧ୍ୟକୁ ଅଧିକ ଲୋକପ୍ରିୟ କରିଛି। ନିର୍ବାଚନ ପ୍ରଚାରବେଳେ ଦଳ ଓ ପ୍ରାର୍ଥୀମାନେ ସାମାଜିକ ଗଣମାଧ୍ୟମକୁ ଅଧିକ ବ୍ୟବହାର କରିବା ଦେଖାଯାଉଛି। ଦଳମାନଙ୍କର ସାମାଜିକ ଗଣମାଧ୍ୟମ ବିଭାଗ, ନିର୍ବାଚନ ନ ଥିବାବେଳେ ଓ ନିର୍ବାଚନ ବେଳେ ଦଳ ସପକ୍ଷରେ ନିତିଦିନ ପ୍ରଚାର କରୁଛନ୍ତି।
ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ପରି ଏବେ ଜନମତ-ସର୍ଭେ ଓ ବୁଥ୍‌-ବାହୁଡ଼ା- ସର୍ଭେ ସଂସ୍ଥାମାନେ ନିରପେକ୍ଷତା ହରାଇଥିବା ଦେଖିବାକୁ ମିଳୁଛି। ଦଳମାନେ ଏହି ସର୍ଭେ ସଂସ୍ଥାମାନଙ୍କୁ ପ୍ରଭାବିତ କରି ନିଜ ଦଳର ନେତା ଏବଂ ଦଳ ସପକ୍ଷରେ ଅଧିକ ଜନମତ ଥିବା ‘ପ୍ରାକ୍‌-ନିର୍ବାଚନ’ କାଳରେ ପ୍ରକାଶ କରୁଛନ୍ତି। ନିର୍ବାଚନ ପରେ ବୁଥ୍‌-ବାହୁଡ଼ା- ସର୍ଭେଗୁଡ଼ିକରେ ସର୍ଭେ ସଂସ୍ଥାମାନେ ସେମାନଙ୍କର ସମର୍ଥିତ ଦଳ ସପକ୍ଷରେ ଅଧିକ ଆସନ ଜିତୁଥିବା କଥା ପ୍ରଚାରକରି ଭୋଟ-ଗଣତି ପରିବେଶକୁ ପ୍ରଭାବିତ କରୁଛନ୍ତି। ଭୋଟ-ଗଣତି ପରେ ଅନେକ ସର୍ଭେ ଭୁଲ୍‌ ପ୍ରମାଣିତ ହେଉଛି। ତେବେ ଲୋକେ ଏଥିରୁ ମଧ୍ୟ ଠିକ୍‌ ତଥ୍ୟ ପାଇପାରୁନାହାନ୍ତି।
ଏବେ ଆସିବା ନିର୍ବାଚନ ସମୟରେ ବ୍ୟବହୃତ ବ୍ୟାନର୍‌-ପୋଷ୍ଟର୍‌ ଓ ନିର୍ବାଚନୀ ସଭାକୁ। ବ୍ୟାନର୍‌-ପୋଷ୍ଟର ଏବଂ ନିର୍ବାଚନୀ ସଭାରେ ଦଳ ଓ ପ୍ରାର୍ଥୀମାନେ ନିଜ ସପକ୍ଷରେ ପ୍ରଚାରକରି ବିରୋଧୀଦଳ ଓ ବିରୋଧୀ ପ୍ରାର୍ଥୀଙ୍କ ବିପକ୍ଷରେ କହିବା ସ୍ବାଭାବିକ। କିନ୍ତୁ ଏବେ ନିର୍ବାଚନୀ ସଭାଗୁଡ଼ିକୁ ଲୋକଙ୍କୁ ଅର୍ଥଦେଇ ଅଣାଯାଇ ଏହାକୁ ବୃହତ୍‌-ଜନସମର୍ଥନର ପ୍ରତୀକ ରୂପେ ଦର୍ଶାଯାଉଛି। ଲୋକଙ୍କୁ ତଥ୍ୟ ପ୍ରଦାନ କରିବା ପରିବର୍ତ୍ତେ ଅଧିକ ଭାବପ୍ରବଣ କରି ଦଳମାନେ ଭୋଟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ଏ ଗଲା ଅଣ-ପାର୍ଥିବ ପ୍ରଚାରତନ୍ତ୍ର କଥା।
‘ପାର୍ଥିବ ପ୍ରଚାରତନ୍ତ୍ର’ର ଏବେ ଅଧିକ ପ୍ରାଦୁର୍ଭାବ ବୃଦ୍ଧି ହୋଇଛି। ନିର୍ବାଚନବେଳେ ମତଦାତାଙ୍କୁ ଅତ୍ୟଧିକ ଅର୍ଥ, ମାଦକ ଦ୍ରବ୍ୟ, ଭୋଜି, ସୁନା ଓ ରୁପା ଗହଣା, ପୋଷାକ, ମୋବାଇଲ୍‌ ଫୋନ୍‌ ଆଦି ବଣ୍ଟାଯାଉଛି। ଏହାକୁ ବନ୍ଦ କରି ସରକାରୀ ଖର୍ଚ୍ଚରେ ନିର୍ବାଚନ କରିବାକୁ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ସମୟରେ ଦାବି ହେଲେ ବି ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ତେବେ ନିର୍ବାଚନ କମିଶନ, ବିଭିନ୍ନ ଦଳର କାର୍ଯ୍ୟକଳାପ ବିଷୟରେ ନିର୍ବାଚନ ସମୟରେ ଏକ ସ୍ବତନ୍ତ୍ର ବୁଲେଟିନ୍‌ ଜାରି କରିବାର ଆବଶ୍ୟକତା ଆସିଲାଣି। ଫଳରେ ଲୋକେ ବିଭିନ୍ନ ଦଳ ବିଷୟରେ ନିର୍ବାଚନ ବେଳେ ଠିକ୍‌ ତଥ୍ୟ ପାଇପାରିବେ। ଦ୍ୱିତୀୟରେ, ନିର୍ବାଚନବେଳେ ପ୍ରାର୍ଥୀ ଯେଉଁ ଶିକ୍ଷାଗତ ଯୋଗ୍ୟତା, ଆପରାଧିକ ପୃଷ୍ଠଭୂମି ଓ ସମ୍ପତ୍ତି ତାଲିକାର ତଥ୍ୟ ପ୍ରଦାନ କରୁଛନ୍ତି, ତାହା ଅତିକମ୍‌ରେ ଏକ ବଡ଼ ହୋର୍ଡିଂ ମାଧ୍ୟମରେ ପ୍ରାର୍ଥୀମାନେ ନିର୍ବାଚନ ମଣ୍ଡଳୀର ଏକ ପ୍ରମୁଖ ସ୍ଥାନରେ ପ୍ରଦର୍ଶନ କରିବା ପାଇଁ ନିର୍ବାଚନ ନିୟମ ଆସିବା ଆବଶ୍ୟକ। କେବଳ ଖବର କାଗଜ ଓ ଟି.ଭି.ରେ ଏ ବିଷୟରେ ସୂଚନା ଦେଲେ ମତଦାତାମାନେ ପ୍ରାର୍ଥୀଙ୍କ ପୃଷ୍ଠଭୂମି ଜାଣିପାରୁ ନାହାନ୍ତି। ତୃତୀୟରେ ନିର୍ବାଚନ ସରିବା ପରେ ପ୍ରାର୍ଥୀମାନେ ଦୁଇଟି ବିଷୟରେ ନିର୍ବାଚନ କମିଶନରଙ୍କ ପାଖରେ ସତ୍ୟପାଠ ଦାଖଲ କରିବା ପାଇଁ ନିୟମ ଆସିବା ଆବଶ୍ୟକ। ଏଥିରୁ ପ୍ରଥମଟି ହେଲା ପ୍ରାର୍ଥୀ ଓ ଦଳମାନେ ନିଜର ନିର୍ବାଚନୀ ଖର୍ଚ୍ଚକୁ ଏକ ସତ୍ୟପାଠ ମାଧ୍ୟମରେ ପ୍ରଦାନ କରିବା। ଦ୍ୱିତୀୟଟି ହେଲା ପ୍ରାର୍ଥୀମାନେ ଏକ ସତ୍ୟପାଠ ମାଧ୍ୟମରେ ନିର୍ବାଚନ ଖର୍ଚ୍ଚର ଆଇନଗତ ସୀମା ଏବଂ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିନାହାନ୍ତି ବୋଲି ଘୋଷଣା କରିବା ଆବଶ୍ୟକ। ଭାରତ ଭଳି ଏକ ବୃହତ୍‌ ସଂଘୀୟ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ନ ଆସିଲେ ଦେଶରେ ଗଣତନ୍ତ୍ରର ଲାଭ ଲୋକମାନେ ପାଇପାରିବେ ନାହିଁ।
ମୋ: ୭୦୦୮୨୩୩୭୨୯


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri